ନୂଆଦିଲ୍ଲୀ,୨୭ ।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହା ଅଧିକ ପରିଲକ୍ଷିତ ହୋଇଛି । ସେହିପରି ପଞ୍ଜାବରେ ମଧ୍ୟ କୃଷକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଡଲି ସୀମାରେ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରି ଆନ୍ଦୋଳନରେ ସାମିଲ ହୋଇଥିବା ପଞ୍ଜାବର ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ମୃତ କୃଷକ ଜଣଙ୍କ ପଞ୍ଜାବ ଜଳନ୍ଧର ଜିଲାର ଖେଲା ଗ୍ରାମର ବଘେଲ ରାମ(୫୫) ବୋଲି ଜଣାପଡଛି ।