Categories: ଜାତୀୟ

୨୭ ସେପ୍ଟେମ୍ବର ଭାରତ ବନ୍ଦ, ଚାଷୀ ସଂଗଠନର ଡାକରା…

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ଜିଆଇସି ଗ୍ରାଉଣ୍ଡରେ କିଷାନ ମହାପଞ୍ଚାୟତରେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କିଷାନ ମହାପଞ୍ଚାୟତରେ ୩୦୦ରୁ ଅଧିକ ଚାଷୀ ସଂଗଠନ ଯୋଗଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ ପାଇଁ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ରେନେତା ରାକେଶ ଟିକାଏତ କହିଛନ୍ତି।

ଆସନ୍ତା ବର୍ଷ ଉତ୍ତରପ୍ରଦେଶ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇପାରିବ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଲକ୍ଷ୍ନୌରେ ମୋର୍ଚ୍ଚାର ବୈଠକ ସେପ୍ଟେମ୍ବର ୯ ଏବଂ ୧୦ରେ ଅନୁଷ୍ଠିତ ହେବ। କଳା କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଟିକାଏତ କହିଛନ୍ତି।

ଅଭିଯୋଗ ହୋଇଛି ଯେ ଫେସବୁକ ଟିକାଏତଙ୍କ ଆକାଉଣ୍ଟକୁ ବନ୍ଦ କରିଛି। ଟିକାଏତ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଆଲୋଚନା ପାଇଁ ଡାକିଲେ ଆମେ ଯିବୁ। ସରକାର ଆମର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସ୍ବାଧିନତା ସଂଗ୍ରାମ ୯୦ ବର୍ଷ ଧରି ଚାଲିଥିଲା, ତେଣୁ ଏହି ଆନ୍ଦୋଳନ କେତେ ଦିନ ଚାଲିବ ତାହା ଅଜଣା ବୋଲି ସେ କହିଛନ୍ତି।

ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଲାଗି ସବୁ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share