Categories: ଜାତୀୟ

କୋଭିସିଲ୍ଡ ପରେ ‘କୋଭାକ୍ସିନ’ ଦର ହ୍ରାସ: ଡୋଜ୍‌ ପିଛା ୨୦୦ ଟଙ୍କା କମ୍‌ରେ ମିଳିବ

ନୂଆଦିଲ୍ଲୀ,୨୯।୪: କମିଲା ‘କୋଭାକ୍ସିନ’ ଟିକା ଦର। ପୂର୍ବରୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ‘କୋଭିସିଲ୍ଡ’ ଟିକାର ଦାମ ହ୍ରାସ କରିିଥିବା ବେଳେ ଗୁରୁବାର ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ ଦର ହ୍ରାସ କରାଯାଇଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋଭାକ୍ସିନ୍‌ ଟିକା ଡୋଜ୍‌ ପିଛା ୬୦୦ ଟଙ୍କାରେ ବିକ୍ରି କରିବ ବୋଲି କହିଥିଲା। ହେଲେ ଏବେ ଏହାକୁ ଡୋଜ୍‌ ପିଛା ୪୦୦ ଟଙ୍କାକୁ ହ୍ରାସ କରାଯାଇଛି। ଅର୍ଥାତ ରାଜ୍ୟଗୁଡ଼ିକ ଏହାକୁ ୪୦୦ ଟଙ୍କା ଦେଇ ଏହାକୁ ସିଧାସଳଖ କିଣିପାରିବେ। ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲଗୁଡ଼ିକ ପୂର୍ବଭଳି ୧୨ ଶହ ଟଙ୍କାରେ ଟିକାର ଡୋଜ୍‌ଗୁଡ଼ିକ କିଣିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ମେ’ ୧ ରୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୮ ଏପ୍ରିଲରୁ ରେଜିଷ୍ଟ୍ରେଶନ ମଧ୍ୟ ଆରମ୍ଭ ହୋଇସାରିଛି। ଅପରପକ୍ଷେ ଅନେକ ରାଜ୍ୟ ନିଜ ନାଗରିକଙ୍କ ପାଇଁ ମାଗଣା ଟିକାକରଣ ଲାଗି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଟିକାର ଦାମକୁ ୧୦୦ଟଙ୍କା ହ୍ରାସ କରାଯାଇଥିଲା।

Share