Categories: ଜାତୀୟ

ନ୍ୟାଶନାଲ ମେଡିକାଲ କମିଶନର ନୂଆ ଲୋଗୋ ବିବାଦ: ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ, ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି) ନିଜ ଆଧିକାରିକ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ଅଭିଯୋଗ କରାଯାଉଛି କି, ଦେଶର ଶୀର୍ଷ ଚିକିତ୍ସା ନିୟାମକ ସିଂହ ଓ ଅଶୋକ ଚକ୍ରକୁ ହଟେଇ ଦେଇଛନ୍ତି, ଯାହା କେବେ ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ଫଟୋ ଭାବେ ପରିଚିତ ଥିଲା। ତେବେ ଏହାକୁ ନେଇ ଏନଏମସି ନିଜ ପକ୍ଷ ରଖିଛି। ଆୟୋଗ କହିଛି, ଧନ୍ବନ୍ତରୀଙ୍କ ଏକ କଳା ଧଳା ଫଟୋ ରେଖାଚିତ୍ର ଫଟୋ ଥିଲା ଯାହା ପୁରୁଣା ଲୋଗୋର ଅଂଶ ଥିଲା।

ଏନଏମସିର କାଯର୍‌ୟବାହୀ ଅଧ୍ୟକ୍ଷ ବିଏନ ଗଙ୍ଗାଧର କହିଛନ୍ତି, ଏହା କୌଣସି ଗୁରୁତ୍ୱ ଥିବା ପରିବର୍ତ୍ତନ ନୁହେଁ। ଯାହାକୁ ନେଇ ଆଲୋଚନା ଲାଗି ରହିଛି। ଧନ୍ବନ୍ତରୀଙ୍କ ଫଟୋ ପୂର୍ବରୁ ଲୋଗୋରେ ଥିଲା। ଏବେ ଏହାକୁ ରଙ୍ଗୀନ ଭାବରେ ଦର୍ଶାଯାଇଛି। ଏନଏମସି ଯେବେ ଗଠନ ହୋଇଥିଲା ସେତେବେଳେ ଧନ୍ବନ୍ତରୀଙ୍କ ଫଟୋ ବ୍ୟବହାର କରାଯାଉଥିଲା। ଭାରତରେ ସ୍ବାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଧନ୍ବନ୍ତରୀଙ୍କୁ ପୂଜା କରାଯାଇଥାଏ। ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି।
ଇଣ୍ଡିଆ ପରିବର୍ତ୍ତେ ଆୟୋଗରେ ଭାରତର ନାମ ଯୋଡା ଯାଇଛି। କାରଣ ଦେଶ ଏହି ନାଁକୁ ଗୁରୁତ୍ୱ ଦେଇଛି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣର ନାଁ ପରିବର୍ତ୍ତନ କରି ‘ଆରୋଗ୍ୟମ ପରମ ଧନମ୍‌’ ଟ୍ୟାଗଲାଇନ ରଖାଯାଇ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ରଖାଯିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ଏହାକୁ ନେଇ ସବୁଠି ବିବାଦ ଦେଖାଦେଇଛି।

Share