ମୁମ୍ବାଇ,୧୦।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ସାମିଲ ହେବେ ନାହିଁ। ସ୍ବାସ୍ଥ୍ୟଗତ କାରଣରୁ ଶରଦ ପାଓ୍ବାର ଏହି ଯାତ୍ରାରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ପୂର୍ବରୁ ୮୧ ବର୍ଷୀୟ ପାଓ୍ବାର ପ୍ରଥମେ ପଦଯାତ୍ରାରେ ଭାଗ ନେବାକୁ ରାଜି ହୋଇଥିଲେ ଏବଂ ଏଥିରେ ସାମିଲ ମଧ୍ୟ ହୋଇଥାନ୍ତେ। କିନ୍ତୁ ନିକଟରେ ସ୍ବାସ୍ଥ୍ୟାବସ୍ଥା ଖରାପ୍ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିବା ବେଳେ ବର୍ତ୍ତମାନ ସେ ଏହି ଯାତ୍ରାରେ ସାମିଲ ହେବେ ନାହିଁ। ଅନ୍ୟପଟେ ଶରଦ ପାୱାରଙ୍କ ଝିଅ ତଥା ଏନ୍ସିପି ଲୋକ ସଭା ସଦସ୍ୟ ସୁପ୍ରିୟା ସୁଲେ ଦଳର ରାଜ୍ୟ ସଭାପତି ଜୟନ୍ତ ପାଟିଲ ଏବଂ ଏନ୍ସିପି ନେତା ଜିତେନ୍ଦ୍ର ଅୱାଦଙ୍କ ସହ ମହାରାଷ୍ଟ୍ରର ନନ୍ଦେଡ ଜିଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଦେଗଲୁର ନାକାରୁ ଏହି ପଦଯାତ୍ରାରେ ଏବଂ ସାଧାରଣ ସଭାରେ ଯୋଗଦେବାକୁ ପହଞ୍ଚିଛନ୍ତି। ଏହି ରାଲିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଯୋଗଦେବେ। ଅନ୍ୟପଟେ ଶୁକ୍ରବାର ଶିବସେନା ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ସୂଚନା ରହିଛି।