Categories: ଜାତୀୟ

ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…

ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି ପଦକ୍ଷେପ ଶାସକ ଡିଏମକେ ଏବଂ ଭାଜପା ମଧ୍ୟରେ ଏକ ନୂଆ ରାଜନୈତିକ ତିକ୍ତତା ସୃଷ୍ଟି କରିଛି।
ଭାଜପାର ତାମିଲନାଡୁ ୟୁନିଟ ସଭାପତି କେ ଅନନାମାଲାଇ ୬ ମାସ ଧରି ଚାଲିଥିବା ‘ମୋ ଭୂମି, ମୋ ଲୋକ’ ପଦଯାତ୍ରା ଆରମ୍ଭ କରିଥିଲେ। ଏହା ଅନ୍ତର୍ଗତ ବୁଧବାର ‘ଭାରତ ମାତା’ର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ ଥିଲା।

ଦଳର ନେତାମାନେ ଅଗଷ୍ଟ ୯ ରୁ ୧୧ ତାରିଖ ମଧ୍ୟରେ ବ୍ରିଧୁନଗରରେ ପଦଯାତ୍ରା ପ୍ରବେଶ କରିବା ପୂର୍ବରୁ ଜିଲା ପାର୍ଟି ମୁଖ୍ୟାଳୟରେ ଭାରତ ମାତାଙ୍କର ଏକ କଳା ପଥର ମୂର୍ତ୍ତି ସ୍ଥାପନ କରିଥିଲେ। କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପ୍ରତିମୂର୍ତ୍ତିକୁ ହଟାଇବା ନେଇ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ବିନା ଅନୁମତିରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା ବୋଲି କୁହାଯାଉଛି।
ଅରୁପୁକୁଟାଇ ରାଜସ୍ବ ସର୍କଲ ଅଧିକାରୀ ଶିଭକୁମାର ଏବଂ ତହସିଲଦାର ଭାସ୍କରନଙ୍କ ନେତୃତ୍ୱରେ ଅଧିକାରୀମାନେ ବିନା ଅନୁମତିରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ଉପରେ ପ୍ରଶ୍ନ କରିଥିଲେ। ଏହାକୁ ହଟାଇବାକୁ ସେମାନେ ଭାଜପା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନେତାମାନେ ଏହା କରିବାକୁ ମନା କରି କହିଥିଲେ ସର୍ବସାଧାରଣ ସ୍ଥାନରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ। ଏକ ଘରୋଇ ଲିଜ ଜମି ଭିତରେ ଏହା ସ୍ଥାପନ କରାଯାଇଛି ।

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଏହି ପ୍ରତିମୂର୍ତ୍ତିକୁ ପୂର୍ବ ଅନୁମତି ବିନା ସ୍ଥାପନ କରାଯାଇଥିଲା ଏବଂ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ଆଦେଶ ବିରୁଦ୍ଧରେ ଥିଲା। ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ଭାଜପା କର୍ମୀଙ୍କୁ କୁହାଯାଇଥିଲା, କିନ୍ତୁ ସେମାନେ ଏହି ନିର୍ଦ୍ଦେଶ ପାଳନ କରିବାକୁ ମନା କରିଦେଇଥିଲେ। ଏହା ପରେ ରାଜସ୍ବ ଅଧିକାରୀମାନେ ନିଜେ ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ ସହ ଆସିଥିବା ଅଧିକାରୀମାନେ ଭାଜପା କାର୍ଯ୍ୟାଳୟରେ ପହଞ୍ଚି ପ୍ରତିମୂର୍ତ୍ତିକୁ ହଟାଇ ଦେଇଛନ୍ତି।

 

Share