ଏବେ ଇ-କମର୍ସ ସାଇଟ୍‌ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଅଦ୍ୟାବଧି ସରକାର ଏହାକୁ କେବଳ ମୋବାଇଲ ଭ୍ୟାନ ମାଧ୍ୟମରେ ସୀମିତ ଢଙ୍ଗରେ ବିକ୍ରି କରୁଛନ୍ତି। ଆସନ୍ତା ସପ୍ତାହରୁ ଏହି ନୂଆ ଯୋଜନା ଆରମ୍ଭ ହେବ।

ଖୁଚୁରା ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିସହ ଦେଶର ସାଧାରଣ ଲୋକଙ୍କୁ ଶସ୍ତା ‘ଭାରତ ଚାଉଳ’ ବିତରଣ କରିବା ସମ୍ଭବ ହେବ। କେବଳ ଏତିକି ନୁହେଁ ଚାଉଳ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଗତ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାରର ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କରିବା ସତ୍ତ୍ୱେ ଖୁଚୁରା ଓ ହୋଲସେଲ ଦରରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଖୁଚୁରା ବଜାରରେ ଦୁଇଟି ସମବାୟ କମିଟି, ନ୍ୟାଶନାଲ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ (ନାଫେଡ) ଏବଂ ନ୍ୟାଶନାଲ କଞ୍ଜ୍ୟୁମର କୋଅପରେଟିଭ ଫେଡେରେଶନ ଅଫ ଇଣ୍ଡିଆ (ଏନସିସିଏଫ) ମାଧ୍ୟମରେ ଖୁଚୁରା ବଜାରରେ ଲଞ୍ଚ କରିଛନ୍ତି। କିଲୋଗ୍ରାମ ପିଛା ୨୯ ଟଙ୍କା ହାରରେ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତିି।

ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଏବଂ ଆମାଜନ ପରି ବିଭିନ୍ନ ଅନଲାଇନ ସାଇଟରେ ଲୋକଙ୍କ ପାଇଁ ‘ଭାରତ ଚାଉଳ’ ଉପଲବ୍ଧ ହେବ। ଆସନ୍ତା ସପ୍ତାହରୁ ସରକାର ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ପ୍ୟାକେଟରେ ‘ଭାରତ ଚାଉଳ’ ଉପଲବ୍ଧ କରାଇବେ। ଏଥିପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବଜାରରେ ୫ଲକ୍ଷ ଟନ ଚାଉଳ ଜାରି କରିବେ।

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ବଜାରରେ ପୂର୍ବ ଅପେକ୍ଷା ‘ଭାରତ ଅଟା’ ଓ ‘ଭାରତ ଡାଲି’ ଶସ୍ତାରେ ବିକ୍ରି କରୁଛନ୍ତି। ସରକାର ‘ଭାରତ ଅଟା’ କିଲୋଗ୍ରାମ ପିଛା ୨୭.୫୦ଟଙ୍କା ଓ ‘ଭାରତ ଡାଲ’ କେଜି ପିଛା ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ସଞ୍ଜୀବ ଚୋପ୍ରା ଆହୁରି କହିଛନ୍ତ, ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକକୁ ଶୀଘ୍ର ହଟାଇବାକୁ ସରକାରଙ୍କର କୌଣସି ଯୋଜନା ନାହିଁ। ଦରହ୍ରାସ ନ ହେବା ପର୍ଯ୍ୟନ୍ତ ପ୍ରତିବନ୍ଧକ ଜାରି ରହିବ।

Share