Categories: ଜାତୀୟ

‘ଇଣ୍ଡିଆ ନୁହେଁ ଭାରତ’: ପ୍ରଥମେ ନିମନ୍ତ୍ରଣପତ୍ର, ଏବେ ଜି୨୦ରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଥିବା କଣ୍ଟ୍ରି ପ୍ଲେଟ୍‌କୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ,୯।୯: ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ମଧ୍ୟରେ ମୋଦି ସରକାର ଅନ୍ତର୍ଜାତୀୟ ମଞ୍ଚରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହାକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ କଣ୍ଟ୍ରି ପ୍ଲେଟ ଏହି ନିଆଁରେ ଘିଅ ଢାଳିଛି। କାରଣ ମୋଦିଙ୍କ କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି । ଅର୍ଥାତ ବିଶ୍ୱନେତାଙ୍କ ସମ୍ମୁଖରେ ମୋଦି ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି।

ସେହିଭଳି ବିଦେଶ ପ୍ରତିନିଧିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଜି-୨୦ ପୁସ୍ତିକାରେ ‘ଇଣ୍ଡିଆ’ ଶବ୍ଦର ନାମଗନ୍ଧ ନ ଥିବା ବେଳେ ସେଥିରେ କେବଳ ‘ଭାରତ’ ଶବ୍ଦର ପ୍ରୟୋଗ କରାଯାଇଛି। ଏହାର ଶୀର୍ଷକ ରହିଛି – ’Bharat, The Mother Of Democracy’. ଏପରିକି ଉକ୍ତ ପୁସ୍ତିକାରେ ଭାରତ ହିଁ ଦେଶର ଔପଚାରିକ ନାମ ଭାବେ ଉଲ୍ଲେଖ କରାଯାଇଛି। ଏହି କ୍ରମରେ ନୂଆ ଦିଲ୍ଲୀ ସବୁ ଔପଚାରିକତାକୁ ପୂରଣ କରି ପାରିଲେ ୟୁଏନ ରେକର୍ଡରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କରାଯିବ ବୋଲି ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜି୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିବା ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହା କହିଛନ୍ତି।

Share