ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସର୍ବବୃହତ ଧାର୍ମିକ ମହୋତ୍ସବ ମହାକୁମ୍ଭ ମେଳା ଚାଲିଥିବାବେଳେ ଅନେକ ବଲିଉଡ୍ ସେଲିବ୍ରିଟି ଏଥିରେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଅଭିନେତା ସୋନୁ ସୁଦ୍, ରାଜକୁମାର ରାଓ, ଅନୁପମ ଖେର, ମିଲିନ୍ଦ ସୋମନ ଏବଂ ଅଭିନେତ୍ରୀ ହେମା ମାଳିନୀ, ଇଶା ଗୁପ୍ତା ପ୍ରମୁଖ ବହୁ ତାରକା ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ପହଞ୍ଚି ପବିତ୍ର ସ୍ନାନ କରିସାରିଲେଣି। ତେବେ ରବିବାର ଏକ ସାକ୍ଷାତ୍କାରରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ମହାକୁମ୍ଭକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିଛିଦିନ ତଳେ ମହାକୁମ୍ଭରେ ଦଳାଚକଟା ଘଟି ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାପରଠାରୁ ସେ ମହାକୁମ୍ଭ ମେଳାକୁ ଯିବା ପାଇଁ ଭୟ କରୁଥିବା ଭାରତୀ କହିଛନ୍ତି। ଭାରତୀ କହିଛନ୍ତି, ମହାକୁମ୍ଭକୁ ଯିବାକୁ ବହୁ ଇଚ୍ଛା ଥିଲେ ସୁଦ୍ଧା ସେ ଯିବେନାହିଁ। ମହାକୁମ୍ଭରେ ଯେଉଁ ଭଳି ଭାବେ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି, ଏପରି ସ୍ଥଳେ ସେଠାକୁ ନ ଯିବା ହିଁ ଠିକ୍ ହେବ। ମହାକୁମ୍ଭ ଗଲେ ବିଭିନ୍ନ ଅଘଟଣ ଘଟିବାର ସମ୍ଭାବନା ରହିଛି। ଏତେ ଲୋକଙ୍କ ଭିଡ଼ ଭିତରେ ସେ ଚେତାଶୂନ୍ୟ ହୋଇଯାଇ ପାରନ୍ତି କିମ୍ବା ତାଙ୍କ ପୁଅ ଓ ସେ ଅଲଗା ହୋଇଯାଇ ପାରନ୍ତି। ପ୍ରତିଦିନ ମହାକୁମ୍ଭରୁ କିଛି ନା କିଛି ଦୁଃଖଦ ଖବର ଶୁଣିବାକୁ ମିଳୁଛି। ନିଜ ପୁଅଙ୍କୁ ଧରି ସେଠାକୁ ଯିବାକୁ ସେ ଭାବି ମଧ୍ୟ ପାରୁନାହାନ୍ତି ବୋଲି ଭାରତୀ କହିଛନ୍ତି। ତେବେ ଭାରତୀଙ୍କର ଏହି ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀ ଠିକ୍ କହୁଛନ୍ତି ବୋଲି କିଛି ୟୁଜର୍ସ କହୁଛନ୍ତି। ସେହିପରି ଭାରତୀ ଅଯଥା ମହାକୁମ୍ଭ ମେଳାକୁ ବଦନାମ କରୁଥିବା କହି ଆଉ କିଛି ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି।