ଗଞ୍ଜାମର ନାଟ୍ୟ ପରମ୍ପରାରେ ‘ଭାରତଲୀଳା’

ଦିଗପହଣ୍ଡି, ୧୭ା୩: ଗଞ୍ଜାମର ନୃତ୍ୟ ପରମ୍ପରା ବହୁ ପ୍ରାଚୀନ। ଏହି ଅଞ୍ଚଳରେ ପୂର୍ବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଲୋକ ନୃତ୍ୟ, ଲୋକ ନାଟକ ପ୍ରଚଳିତ ଥିଲା। ସେଥି ମଧ୍ୟରୁ ‘ଭାରତ ଲୀଳା’ ବା ସୁଭଦ୍ରା ପରିଣୟ (ବିବାହ) ଅନ୍ୟତମ। ସାରଳା ଦାସଙ୍କ ଲିଖିତ ମହାଭାରତର ମଧ୍ୟପର୍ବର ଅର୍ଜୁନ-ସୁଭଦ୍ରା ପରିଣୟ ବିଷୟ ବସ୍ତୁକୁ ନେଇ ‘ଭାରତ ଲୀଳା’ ରଚନା ହୋଇଛି। ମହାଭାରତର କଥାବସ୍ତୁକୁ ନେଇ ଏହି ଲୀଳା ରଚନା କରାଯାଇଥିବାରୁ ଏହାର ନାମ ‘ଭାରତ ଲୀଳା’ ବୋଲି ବିବେଚିତ କରାଯାଇଛି। ସୁଭଦ୍ରାଙ୍କ ବିବାହ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିବାରୁ ଏହାକୁ ସୁଭଦ୍ରା ପରିଣୟ ବୋଲି ମଧ୍ୟ କୁହାଯାଏ। ଏହି ଲୀଳାର ମୁଖ୍ୟ ଚରିତ୍ର ହେଲେ ଦୁଆରି ଓ ସୁଭଦ୍ରା। ଏହି ସାମଗ୍ରୀକ ଲୀଳାରେ ଦୁଆରି ମୁଖ୍ୟ ଉଦ୍‌ଘୋଷକ ହୋଇଥିବାରୁ ଏହାକୁ ବିଭିନ୍ନ ଅଞ୍ଚଳରେ ଦୁଆରି ନାଟ ବୋଲି ଅଭିହିତ କରାଯାଏ। ବିଭିନ୍ନ ଲୀଳା ନାଟକ ମଧ୍ୟରେ ‘ଭାରତ ଲୀଳା’ ହେଉଛି ଶେଷ ଲୀଳା। ୧୮୭୦ ରୁ ୧୯୦୦ ମଧ୍ୟରେ ଗଞ୍ଜାମ କଲ୍ୟାଣପୁର ଗ୍ରାମର ଲୋକ ନାଟ୍ୟକାର ଦୀନବନ୍ଧୁ ଦାସ ଏହାକୁ ପ୍ରଥମେ ରଚନା କରିଥିବା ଗବେଷକ ଡ. ଅନନ୍ତରାମ କର ମତ ଦେଇଛନ୍ତିି।
ପ୍ରାଚୀନ କାଳରେ ଗଞ୍ଜାମର ଲୋକେ କାମ ପାଇଁ ରେଙ୍ଗୁନ ବା ବ୍ରହ୍ମଦେଶ ଏବେକାର ମିଆଁମାର ଯାଉଥିଲେ। ସେଠାରେ ରହୁଥିବା ଓଡ଼ିଆମାନେ ଏହି ‘ଭାରତ ଲୀଳା’ ପରିବେଷଣ କରି ତାହାର ପ୍ରଚାର ପ୍ରସାର କରାଇଥିଲେ। ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ରହୁଥିବା ଓଡ଼ିଆମାନେ ଏହି ‘ଭାରତ ଲୀଳା’ ପରିବେଷଣ କରୁଥିବାରୁ ସେମାନେ ଏହାକୁ ହୁଗୁଳି ଭାରତ ଲୀଳା ବୋଲି ଆଖ୍ୟାୟିତ କରୁଥିଲେ। ଦୀନବନ୍ଧୁ ଦାସଙ୍କ ରଚିତ ଏହି ଭାରତ ଲୀଳାରେ ଶହେରୁ ଊର୍ଦ୍ଧ୍ୱ ସଙ୍ଗୀତ ସ୍ଥାନ ପାଇଥିଲା। ଏହି ଲୀଳାର ମୁଖ୍ୟ ଗାୟକ ଦୁଆରି ହିଁ ବିଭିନ୍ନ ସଙ୍ଗୀତ ଗାନ କରି ଲୀଳାକୁ ଗତିଶୀଳ କରାଇଥାନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ କେତେକ ସଙ୍ଗୀତ ଏହି ଲୀଳାରେ ମିଶ୍ରଣ କରାଯାଇଛି। ପରବର୍ତ୍ତୀ ସମୟରେ ‘ଭାରତ ଲୀଳା’କୁ ପରିବର୍ଦ୍ଧିତ କରିଥିବା ଗୁରୁ (ଦୁଆରି)ମାନେ ହେଲେ ଗଞ୍ଜାମ ଜିଲା ଭାଲିଆଝୋଳା ଗ୍ରାମର ନିଳାଞ୍ଚଳ ମିଶ୍ର, କବିସୂର୍ଯ୍ୟନଗର ଅଞ୍ଚଳର ନବଘନ ପରିଡ଼ା, ଗୌତମୀ ଗ୍ରାମର ରାମଚନ୍ଦ୍ର ରେଡ୍ଡୀ, କନ୍ଧ ଖରିଡା ଗ୍ରାମର ଶ୍ୟାମ ସୁନ୍ଦର ସାବତ, ଆସିକା ନିକଟ ମାଗୁରା ଗ୍ରାମର ଭୀମ ପଣ୍ଡା, କନିଷି ପଞ୍ଚମା ଗ୍ରାମର ତ୍ରିନାଥ ପଟ୍ଟନାୟକ ଓ ନୀଳ ବଙ୍ଗଳା ଗଁାର ସନ୍ତୋଷ କୁମାର ପାଢ଼ୀ ଅନ୍ୟତମ। ଭାରତଲୀଳାର ମୁଖ୍ୟ ଚରିତ୍ରମାନେ ହେଲେ ଦୁଆରି, ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମା। ଗୌଣ ଚରିତ୍ରଗୁଡ଼ିକ ହେଲେ ନଟୁ, ଶ୍ରୀକୃଷ୍ଣ, ବଳରାମ, ନନ୍ଦ, ମଧୁ ମଙ୍ଗଳ, ଯଶୋଦା, ସୁଭଦ୍ରାଙ୍କ ସଖୀ, ହାଡ଼ି, ହାଡ଼ିଆଣି ଏବଂ ହାସ୍ୟାଭିନେତା ବାୟା।
ଏହି ଲୀଳା ପରିବେଷଣରେ ପୂର୍ବରୁ ଝିଅମାନଙ୍କ ପ୍ରବେଶ ନ ଥିଲା। ପୁଅମାନେ ଝିଅ ଚରିତ୍ରରେ ଅଭିନୟ କରୁଥଲେ। ବିଗତ ୨୦/୨୫ ବର୍ଷ ହେଲା ଯୁଗ ରୁଚି ଅନୁସାରେ ଝିଅମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବାରୁ ଏହି ଲୀଳାକୁ ଅଧିକ ଜନାଦୃତ ହୋଇଛି। ଭାରତ ଲୀଳା କେବଳ ଗୀତ ସର୍ବସ୍ବ। ଏହି ଲୀଳାର ଗଦ୍ୟାବଳି ଓ ପଦ୍ୟାବଳୀ ଶିଖିବା ଅତି ସହଜ। ତେଣୁ ଗଞ୍ଜାମର ପୁରପଲ୍ଲୀରେ ବହୁସଂଖ୍ୟକ ଭାରତ ଲୀଳା ନାଟ୍ୟ ଅନୁଷ୍ଠାନ ରହିଛି ଏବଂ ଏହା ଜିଲାରେ ସର୍ବାଧିକ ଲୋକପ୍ରିୟ ଲୋକନୃତ୍ୟ ଭାବେ ବିବେଚିତ। ଏହି ଭାରତ ଲୀଳା ସର୍ବାଧିକ ୫/୬ ଘଣ୍ଟା ପରିବେଷଣ କରାଯାଇଥାଏ।
ଗଞ୍ଜାମର ଲୋକନୃତ୍ୟ ମଧ୍ୟରେ ଭାରତ ଲୀଳା ଅନ୍ୟତମ। ପ୍ରତ୍ୟେକ ଜାତିର ଲୋକ ଏଥିରେ ଭାଗ ନେଇଥାନ୍ତି। ନାଚ ମାଷ୍ଟ୍ରଙ୍କ ନିର୍ଦ୍ଦେଶନାରେ କେଉଁ ଲୋକ କେଉଁ ଅଭିନୟ କରିପାରିବ ତାହା ଚୟନ କରାଯାଇଥାଏ। ତାଙ୍କ ନିର୍ଦ୍ଦେଶରେ ଏକ ନାଚ ଦଳ ଗଠନ ହୁଏ। ଗତ କିଛିବର୍ଷ ହେଲା ‘ଭାରତ ଲୀଳା’ର ପ୍ରାୟ କଳାକାରମାନଙ୍କୁ ସରକାରୀ ସହାୟତା ସ୍ବରୂପ ପେନ୍‌ସନ୍‌ ପ୍ରଦାନ କରାଯାଉଥିବା ଜଣାପଡିଛି।

ଅଶେଷ ନାଥ ମିଶ୍ର

Share