ଭାରତମାଳା ପ୍ରକଳ୍ପ ଟନେଲ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣା: ମାଟି ଅତଡ଼ା ତଳେ ଚାପିହୋଇ ଜଣେ ମୃତ, ଜଣେ ଗୁରୁତର

ପଟ୍ଟାଙ୍ଗି,୨୪ା୫(ଶରତ ଧଳ): ଛତିଶଗଡ଼ରୁ ଆନ୍ଧ୍ରର ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତମାଳା ପ୍ରକଳ୍ପର କାର୍ଯ୍ୟ ହେଉଥିବା ରାସ୍ତାର ଟନେଲଠାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକ ଆହତ ହୋଇ ବିଶାଖାପାଟଣାର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ନିକଟସ୍ଥ କୁର୍ଲି ଗ୍ରାମରେ ଏକ ଟନେଲ କାର୍ଯ୍ୟ ଚାଲିଛି। ଗୁରୁବାର ବିଳମ୍ବିତ ରାତିରେ ମାଟି ଅତଡ଼ା ସହ ପଥର ଖସି ପଡ଼ିଥିଲା। ଫଳରେ ମାଟି ଅତଡ଼ା ତଳେ ୨ ଶ୍ରମିକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ୨ ଶ୍ରମିକଙ୍କୁ ଉଦ୍ଧାରକରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେମାନଙ୍କ ମଧ୍ୟରୁ ଶ୍ରମିକ ମୁକେଶ ମୁର୍ମୁଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ। ଅନ୍ୟ ଜଣେ ଶ୍ରମିକ ରାୟଗଡ଼ା ଜିଲା ଟିକିରି ଅଞ୍ଚଳର ଲକ୍ଷ୍ମୀଧର ମାଝିଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏନେଇ ସୁଙ୍କି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ମୁହଁ ଖୋଲୁ ନ ଥିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ମଙ୍ଗଳବାର ଗସ୍ତକରି ଉକ୍ତ ଟନେଲ କାର୍ଯ୍ୟ ତଦାରଖ କରି ଫେରିଥିଲେ।