ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ବୁଧବାର କମ୍ପାନୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୋଭରଙ୍କୁ ସବୁ ପଦ(ସହ-ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ)ରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ବୈଠକ ପରେ କମ୍ପାନୀ ପକ୍ଷରୁ ଜାରି ବିବୃତିରେ ଏ ନେଇ ସୂଚନା ଦିଆଯାଇଛି। ଏଥିସହ ଗ୍ରୋଭର ଓ ତାଙ୍କ ପରିବାର ବିରୋଧରେ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହାଛଡ଼ା ଗ୍ରୋଭର ନିଜ ସ୍ତ୍ରୀଙ୍କ ସହ ମିଶି କମ୍ପାନୀ ଟଙ୍କାର ଦୁରୁପଯୋଗ କରୁଥିଲେ। ସେ ନିଜକୁ ଧନୀ କରିବା ଏବଂ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ପୂରଣ କରିବା ପାଇଁ କମ୍ପାନୀ ଟଙ୍କା ବ୍ୟବହାର କରୁଥିଲେ। ଗ୍ରୋଭରଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟମାନେ ନକଲି ବିକ୍ରେତା ସୃଷ୍ଟି କରିଥିଲେ। ଏହା ମାଧ୍ୟମରେ କମ୍ପାନୀର ଖର୍ଚ୍ଚ ଆକାଉଣ୍ଟରୁ ଟଙ୍କା ଉଠାଉଥିଲେ। ଗ୍ରୋଭରଙ୍କ ପରିବାରର ନିନ୍ଦନୀୟ ବ୍ୟବହାର ଯୋଗୁ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଭାରତ ପେ’ ପ୍ରତିଷ୍ଠା, ଏହାର ପରିଶ୍ରମୀ କର୍ମଚାରୀ ଏବଂ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ବିପଦରେ ପକାଇବାକୁ ଅନୁମତି ଦେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବୋର୍ଡ ବୈଠକରେ ଯାଞ୍ଚର ଫଳାଫଳ ସମସ୍ତଙ୍କ ସମ୍ମୁଖରେ ରଖାଯିବ ବୋଲି କୁହାଯିବାରୁ ତୁରନ୍ତ ଇମେଲ ଜରିଆରେ ଗ୍ରୋଭର ନିଜ ଇସ୍ତଫା ଦେଇଥିଲେ ବୋଲି ମଧ୍ୟ କମ୍ପାନୀ କହିଛି।

କହିରଖୁଛୁ, ପୂର୍ବରୁ ଏକ ଭାବବିହ୍ବଳ ଚିଠି ଲେଖି କମ୍ପାନୀକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ଗ୍ରୋଭର। ନିଜ ଇସ୍ତଫା ପତ୍ରରେ ସେ ଲେଖିଥିଲେ, ଯେଉଁ କମ୍ପାନୀକୁ ମୁଁ ଗଢ଼ିଥିଲି ତାକୁ ଛାଡ଼ିବାକୁ ମୋତେ ବାଧ୍ୟ କରାଯାଇଛି। ଏହା ମୋତେ ବହୁତ ଦୁଃଖ ଦେଇଛି। ଦୁର୍ଭାଗ୍ୟବଶତଃ ୨୦୨୨ ପ୍ରାରମ୍ଭରୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମୋତେ ଓ ମୋ ପରିବାରକୁ ଅପଦସ୍ଥ କରି ଆସୁଛନ୍ତି। ସେମାନେ ଯେଉଁ ଅଭିଯୋଗ ମୋ ନାଁରେ ଆଣିଛନ୍ତି, ତା’ର କୌଣସି ଆଧାର ନାହିଁ। ସେମାନେ କେବଳ ମୋର ସମ୍ମାନହାନି କରି ନାହାନ୍ତି, କମ୍ପାନୀର ସମ୍ମାନକୁ ବି ତଳେ ପକାଇଛନ୍ତି ବୋଲି ଗ୍ରୋଭର କହିଥିଲେ॥

 

Share