Categories: ଜାତୀୟ

ମଥୁରା ଦର୍ଶନ କରିବାକୁ ଯାଉଥିବା ବେଳେ ଅଘଟଣ, ଚାଲିଗଲା ୧୧ ଜଣଙ୍କ ଜୀବନ

ଜୟପୁର,୧୩।୯: ରାଜସ୍ଥାନର ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଏନ୍‌ଏଚ୍‌-୨୧ସ୍ଥିତ ଲଖନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ହନ୍ତରା ବ୍ରିଜରେ ଘଟିଛି। ଭକ୍ତମାନଙ୍କୁ ନେଇ ବସ୍‌ଟି ଗୁଜରାଟରୁ ଉତ୍ତରପ୍ରଦେଶର ମଥୁରା ପରିଦର୍ଶନ କରିବାକୁ ଯାଉଥିଲା। ବସ୍‌ରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୧୧ଜଣ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଯାତ୍ରୀବାହୀ ବସ୍‌ ଭାବନଗରରୁ ମଥୁରା ପରିଦର୍ଶନ କରିବାକୁ ଯାଉଥିଲା। ଏହି ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି। କୁହାଯାଉଛି ଯେ ସମସ୍ତ ମୃତ ଓ ଆହତମାନେ ଭାବନଗରର ବାସିନ୍ଦା। ଏକ ଅଜଣା ଗାଡି ପାର୍କିଂ ହୋଇଥିବା ବସ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share