ଭରତପୁର ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର,୩୦।୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି।

ଅନ୍ୟପକ୍ଷେଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ। ଏଥିପାଇଁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ, ଏଏସ୍‌ଆଇ ସଲିଳମୟୀ ସାହୁ ଏବଂ ଘଟଣା ଦିନ ଥାନାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଉପସ୍ଥିତ ଥିବା କାର୍ଯ୍ୟରତ ଏସ୍‌ଆଇ ପ୍ରଶାନ୍ତ ମହାରଣା ରବିବାର ଗୁଜରାଟ ଯାଇଛନ୍ତି। ଏଥିସହ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ମଧ୍ୟ ସେଠାକୁ ଯାଇଛି। ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହେବାକୁ ଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ କରାଯିବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଟେଷ୍ଟ ସରିବା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଓଡ଼ିଶା ଫେରିଆସିବ। ଉକ୍ତ ରାତିରେ ପ୍ରକୃତରେ କ’ଣ ଘଟିଥିଲା। କାହା ବୟାନରେ ସତ ରହିଛି। ଏସବୁ ଜାଣିବାକୁ କ୍ରାଇମ୍‌ବ୍ରାଞ୍ଚ ପାଖରେ ଶେଷ ବିକଳ୍ପ ରହିଛି ସାଇଣ୍ଟିଫିକ୍‌ ଟେଷ୍ଟ। ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି। ଏସବୁ ଟେଷ୍ଟ କରାଇବାକୁ କ୍ରାଇମ୍‌ବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିବାବେଳେ ପୋଲିସ ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଦିନରେ ଓ ଟେଷ୍ଟ ହେବାକୁ ଥିବା ୫ ପୋଲିସ ଅଧିକାରୀ ରାତିରେ ବିମାନଯୋଗେ ଗୁଜରାଟ ଗସ୍ତ କରିଥିବା ଜଣାପଡିଛି।

Share