ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏଥିଲାଗି ସେମାନଙ୍କୁ ନେଇ  ରବିବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁଜରାଟ ଯିବ।
ସୋମବାର ଭରତପୁର ଥାନାର ନିଲମ୍ବତତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୋଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ  କେତେ ସତ କହୁଛି ତାହା ଉପରୁ ପରଦା ହଟିବ  ।
ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍‌ଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ପରେ ଅନ୍ୟମାନଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ  ଅନୁମତି ମିଳିସାରିଛି।
ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର।  ଏହି ତିନି ଜଣଙ୍କ ସହିତ ସେଦିନ ସେଠାରେ ଉପସ୍ଥିତ ଆଉ ଜଣେ ପୁଲିସ ଅଧିକାରୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ସେଥିପାଇଁ ସେମାନଙ୍କୁ ଗୁଜରାଟର ଗାନ୍ଧିନଗର ନିଆଯିବ। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।
Share