ଭାର୍ଗବୀ ନଦୀବନ୍ଧରେ ଫାଟ

ପିପିଲି,୮।୮(ଦୁର୍ଗାମାଧବ ମିଶ୍ର): ପୁଣି ଦବିଲା ଭାର୍ଗବୀ ନଦୀବନ୍ଧ। ପୁରୀ ଜିଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି। ୧ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଅଁା କରିଛି। କାମ ଶେଷ ହେବାର ୨ ମାସ ନ ପୂରୁଣୁ ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ ନଦୀକୂଳିଆ ଗ୍ରାମବାସୀ ଭୟଭୀତ ଅଛନ୍ତି। ତେବେ ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାବେଳେ ବନ୍ଧ ନିର୍ମାଣ ପାଇଁ ଉପଯୁକ୍ତ ମାଟିରେ କାମ ନ ହେବା, ବନ୍ଧକୁ ଠିକ୍‌ ଭାବେ ରୋଲାରିଂ ନ କରିବା ସହ ବିଭାଗୀୟ ଅଧିକାରୀଙ୍କ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। ଯଦି ଏହି ସ୍ଥାନରେ ବନ୍ଧରେ ଘାଇ ହୁଏ, ତେବେ ନିମାପଡ଼ା ଓ ଗୋପ ବ୍ଲକର ପ୍ରାୟ ୩୦ ପଞ୍ଚାୟତର ଧନ ଜୀବନ ଓ ଜୀବିକା ଉଜୁଡ଼ିଯିବ।