ଭର୍ତ୍ତୁହରିଙ୍କ ହୋଲି ବନ୍ଧୁମିଳନରେ ଅନୁଭବ,ଭାଜପା ନେତା

କଟକ, ୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ)ହୋଲି ପର୍ବ ବା ହୋଲି ବନ୍ଧୁମିଳନ ପ୍ରତିବର୍ଷ ପରି ଏବର୍ଷ ବି ପାଳିଛନ୍ତି କଟକ ଏମ୍‌ପି ଭର୍ତ୍ତୃହରି ମହତାବ। କିଛିଦିନ ବ୍ୟବଧାନରେ ସେ ବିଜେଡିରୁ ଇସ୍ତଫା ଦେବା ସହ ଦଳ ସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ଗଣମାଧ୍ୟମକୁ ଦେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଠିକ୍‌ ସେହିପରି ଦୋଳପୂର୍ଣ୍ଣିମା ଅବସରରେ ସେ ହୋଲି ବନ୍ଧୁମିଳନ ଆୟୋଜନ କରିଥିଲେ। ଲଉଡି ଖେଳ ସହ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ରଙ୍ଗ ଲଗାଇ ଧୁମ୍‌ଧାମ୍‌ରେ ଏହାକୁ ପାଳିଛନ୍ତି। ତେବେ ଭର୍ତ୍ତୃହରିଙ୍କ ହୋଲି ବନ୍ଧୁମିଳନରେ ଭାଜପା ନେତୃବୃନ୍ଦ ଓ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବଙ୍କ ଉପସ୍ଥିତି ଏବେ କଟକ ରାଜନୈତିକ ବାତାବରଣରେ ରୋଚକ ଆଣିଛି। ଏପରି କି ଭର୍ତ୍ତୃହରି ବିଜେଡି ଛାଡିବା ପରେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି ସତ, ହେଲେ ଏପରି କାର୍ଯ୍ୟକ୍ରମରେ ଏମ୍‌ପିଙ୍କ ସହ ଭାଜପା ନେତୃବୃନ୍ଦ ଉପସ୍ଥିତ ରହିବା ଓ ସାଙ୍ଗରେ ଅନୁଭବଙ୍କ ଉପସ୍ଥିତି ଏବେ ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଇଛି। ତେବେ କ’ଣ ଭର୍ତ୍ତୃହରି ଭାଜପାରେ ଯୋଗଦେବେ ଏବଂ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମଧ୍ୟ ଦଳ ବଦଳ କରିବେ ବୋଲି ମଧ୍ୟ ଆଲୋଚନା ଚାଲିଲାଣି। ଏ ସମସ୍ତ ପ୍ରସଙ୍ଗ ନେଇ ଭର୍ତ୍ତୃହରିଙ୍କୁ ପଚାରିବାରୁ ସେ କହିଛନ୍ତି, ହିରଣ୍ୟକଶିପୁ ହୋଲିକା ମାଧ୍ୟମରେ ପ୍ରହ୍ଲାଦଙ୍କୁ ଜାଳିବାକୁ ଉଦ୍ୟମ କରିଥିଲେ, ହେଲେ ସେ ନିଜେ ଜଳିଗଲେ। ପ୍ରତ୍ୟେକ ଯୁଗରେ ଏହି ପୁରାଣର ପ୍ରାସଙ୍ଗିକତା ରହିଛି। ତେବେ ଗେରୁଆ ରଙ୍ଗ ଆମ ଦେଶ ଓ ରାଷ୍ଟ୍ରର ଏକ ମହତ୍ତ୍ୱପୂର୍ଣ୍ଣ ରଙ୍ଗ। ଆଗାମୀ ନିର୍ବାଚନରେ ମୁଁ ଲଢ଼ିବି କି ନାହିଁ ଏବଂ ଯଦିଓ ଲଢ଼ିବି ତେବେ କେଉଁ ଦଳରୁ ତାହା ସମୟ କହିବ। ଅନ୍ୟପଟେ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ଅନ୍ୟ ସମସ୍ତ ପ୍ରସଙ୍ଗକୁ ଏଡାଇ କହିଛନ୍ତି, ଏମ୍‌ପି ଭର୍ତ୍ତୃହରି ମହତାବ ଏହି କାର୍ଯ୍ୟକ୍ରମରେ ମୋତେ ଡାକିଥିବାରୁ ଖୁସି ଲାଗୁଛି।

Share