ବିରିଡି/ବାଲିଆ/ତିର୍ତ୍ତୋଲ/ନାଉଗାଁ, ୭ା୧୦(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଶେଷ ହେବା ପରେ ଗୁରୁବାର ମା’ଙ୍କୁ ବିଦାୟ ଦିଆଯାଇଛି। କୁଳକଇଜଙ୍ଗା ନୂଆପାରୀ ଜଗତଗୁରୁ ରାମାନନ୍ଦାଚାର୍ଯ୍ୟଙ୍କ ପୀଠର ବିଂଶଭୁଜା ଦୁର୍ଗା, ଅଲାଣ୍ଡୋ ଦୁର୍ଗା, ବାଲିଆ ଦୁର୍ଗା, ହାଜିପୁର ଦୁର୍ଗା ଓ ବିରିଡ଼ି ହାଟ ଦୁର୍ଗା ପୂଜା ମଣ୍ଡପ, ବାଲିଆରେ ସୋଲ ନିର୍ମିତ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବିଦାୟ ଦିଆଯାଇଛି। ଏଭଳି ପ୍ରାୟ ୧୮ ମେଢ଼କୁ ଗୁରୁବାର ଭସାଣି ଉତ୍ସବରେ ନିଆଯାଇଛି। ବାଲିଆ ଗୋପୀନାଥପୁର ଶାନ୍ତି କମିଟି ଆନୁକୂଲ୍ୟରେ ଶାନ୍ତି ଶୃଙ୍ଖଳାସହ ଭସାଣି ଅନୁଷ୍ଠିତ ହୋଇଥିବାବେଳେ କିଛି ମେଢ ବିଲୁଆଖାଇ ନଦୀରେ ବିସର୍ଜନ କରାଯାଇଛି। ଅନ୍ୟ ସମସ୍ତ ମେଢ ମାଛଗାଁ କେନାଲରେ ବିସର୍ଜନ ହୋଇଥିଲା। ବିରିଡ଼ି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଚଳିତ ବର୍ଷ ବିରିଡ ବ୍ଲକରେ ୧୧ଟି ମା’ ଦୁର୍ଗାଙ୍କ ମଣ୍ଡପ ହୋଇଥିବା ବେଳେ ୮୦ ସ୍ଥାନରେ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ହୋଇଥିଲା। ତିର୍ତ୍ତୋଲ ବ୍ଲକରେ ମଧ୍ୟ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଥାନା ଗଡା ଓ ନେହେରୁ କଲୋନୀ ମେଢ଼ ପୂଜା କମିଟି ଦ୍ୱାରା ବିସର୍ଜନ ହୋଇଛନ୍ତି। ଥାନା ଗଡା ପୂଜା କମିଟି ତରଫରୁ ସଭାପତି ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ମଣ୍ଡପ ନିକଟରୁ ମେଢ଼ ସହ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରାଯାଇଥିଲା। ପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସେହି ଭଳି ନେହେରୁ କଲୋନୀ ମେଢ଼କୁ ରୋଶଣି ସହ ଭସାଣି ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଇଛି। ନାଉଗାଁ ବ୍ଳକରେ ଶାନିଶୃଙ୍ଖଳାର ସହ ମା’ଦୁର୍ଗାଙ୍କ ପୂଜା ଶେଷ ହୋଇଛି। ନାଉଗାଁ ବଜାର, ବ୍ଲକ ଛକ, କଂଟୁଣିଆ ହାଟ, ମୁଣ୍ଡାଳୋ, ଅଲଣା ହାଟ, ଗଙ୍ଗଦାହାଟ ଆଦିରେ ହୋଇଥିବା ମା’ଙ୍କ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିଥିଲା।