Categories: ଖେଳ

ଇତିହାସ ରଚିଲେ ଭାରତର ଭାବିନାବେନ

ଟୋକିଓ,୨୯।୮: ଇତିହାସ ରଚିଲେ ଭାରତର ମହିଳା ଟେବୁଲ ଟେନିସ ତାରକା ୩୪ ବର୍ଷୀୟା ଭାବିନାବେନ ପଟେଲ। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଫାଇନାଲରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିଭଳି ପାରାଲିମ୍ପିକ୍ସରେ ଟେବୁଲ ଟେନିସରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ତାରକା ପାଲଟିଛନ୍ତି।

ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚାଇନାର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚାଇନାର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରି ଯାଇଥିଲେ।
ପ୍ରଥମ ଥର ପାଇଁ ଭାବିନା ପାରାଲିମ୍ପିକ୍ସରେ ଭାଗ ନେଇଥିଲେ। ଏଥିରେ ତାଙ୍କୁ ରୋପ୍ୟ ପଦକ ମିଳିଛି। ଅନ୍ୟପକ୍ଷରେ ଚାଇନାର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

କହିରଖୁଛୁ, ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚାଇନାର ମିଆଓ ଝାଙ୍ଗ୍‌ଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା।

Share