Categories: ଜାତୀୟ

ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ ସେବା ୨୪ ଘଣ୍ଟା ବନ୍ଦ

ଭିଲଓ୍ବାଡା,୧୧।୫: ଗତ କିଛି ଦିନର ବିରତି ପରେ ରାଜସ୍ଥାନର ଭିଲୱାଡାରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଭିଲଓ୍ବାଡାରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ପରେ ସାମ୍ପ୍ରଦାୟିକ ହିଂସା ତେଜିବାରେ ଲାଗିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ସାମ୍ପ୍ରଦାୟିକ ହିଂସାକୁ ନେଇ ଭାଜପା, ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବୁଧବାର ଭିଲଓ୍ବାଡାରେ ବନ୍ଦ ଡାକରା ଦିଆଯାଇଛି। ସୂଚନାଯୋଗ୍ୟ, ଭିଲଓ୍ବାଡା ସହରର କୋତୱାଲି ପୋଲିସ ଷ୍ଟେସନ ନିକଟସ୍ଥ ଶାସ୍ତ୍ରୀ ନାଗରରେ ମଙ୍ଗଳବାର ରାତିରେ ଜଣେ ୨୨ବର୍ଷୀୟ ଯୁବକ ଆଦର୍ଶ ତାପଡିଆଙ୍କୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟଙ୍କା କାରବାରକୁ ନେଇ ଆଦର୍ଶଙ୍କ ସହ ଅନ୍ୟ ସମ୍ପ୍ରଦାୟର ଯୁବକଙ୍କ ସହ ବିବାଦ ଦେଖାଦେଇଥିଲା। ମଙ୍ଗଳବାର ମିଠା ଦୋକାନ ନିକଟରେ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ, ଅନ୍ୟ ସମ୍ପ୍ରଦାୟର ଯୁବକ ଆଦର୍ଶଙ୍କୁ ଛୁରି ଭୁଷି ଦେଇଥିଲେ। ଏହାପରେ ଆଦର୍ଶଙ୍କୁ ଆହତ ଅବସ୍ଥାରେ ଛାଡି ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଆହତ ଅବସ୍ଥାରେ ତାଙ୍କୁ ଦେଖି ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି।

Share