Categories: ଖେଳ

ପ୍ଲେ-ଅଫ୍‌ରେ ଭିଲଓ୍ବାରା କିଙ୍ଗ୍ସ

ଯୋଧପୁର, ୧।୧୦: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ଭିଲଓ୍ବାରା କିଙ୍ଗ୍ସ ୫ ଉଇକେଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କ୍ରିସ୍‌ ଗେଲ୍‌ ଓ ଯଶପାଲ ସିଂଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୮୬ ରନ କରିଥିଲା। ଜବାବରେ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ବ୍ୟାଟରଙ୍କ ସାମୁହିକ ଅବଦାନ ବଳରେ ଭିଲଓ୍ବାରା କିଙ୍ଗ୍ସ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରି ନେଇଥିଲା। ଓ୍ବିଲିୟମ ପୋର୍ଟରଫିଲ୍ଡ ସର୍ବାଧିକ ୪୦ (୩୭ ବଲ, ୨ ଚୌକା, ୨ ଛକା), ୟୁସୁଫ ପଠାନ ୩୯ (୧୮ ବଲ, ୧ ଚୌକା, ୪ ଛକା) ଓ ମର୍ନେ ଭାନ୍‌ ଓ୍ବିକ ୨୬ ରନ କରି ଆଉଟ ହୋଇଥିବାବେଳେ ଜେସଲ କାରିଆ ୩୯ (୨୪ ବଲ, ୬ ଚୌକା, ୧ ଛକା) ଓ ଅଧିନାୟକ ଇରଫାନ ପଠାନ ୨୬ (୧୪ ବଲ, ୨ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ୬ ମ୍ୟାଚରୁ ୩ ବିଜୟ ସହ ଭିଲଓ୍ବାରା କିଙ୍ଗ୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ୟୁସୁଫ ପଠାନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଟସ୍‌ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଜାଏଣ୍ଟ୍ସର ଆରମ୍ଭ ଭଲ ହୋଇଥିଲା। ଲେଣ୍ଡଲ ସିମନ୍ସ ଓ କ୍ରିସ୍‌ ଗେଲ୍‌ ଓପନିଂ ଯୋଡ଼ିରେ ୨୮ ବଲ୍‌ରୁ ୪୦ ରନ ସଂଗ୍ରହ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ସିମନ୍ସ ୨୨ ରନରେ ଆଉଟ ହୋଇ ଯାଇଥିଲେ ହେଁ ଗେଲ୍‌ ୪୦ ବଲ୍‌ରୁ ୬୮ (୯ ଚୌକା, ୩ ଛକା) ରନ ସଂଗ୍ରହ କରି ଇନିଂସକୁ ଆଗେଇ ନେଇଥିଲେ। ମିଡିଲ ଅର୍ଡରରେ ଯଶପାଲ ସିଂ (୫୮ ରନ, ୩୭ ବଲ, ୬ ଚୌକା, ୨ ଛକା) ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଦେଇଥିଲେ। ଫଳରେ ଅଧିନାୟକ ପାର୍ଥିବ ପଟେଲ (୧), କେଭିନ ଓ’ବ୍ରାଏନ (୪), ଥିସାରା ପେରେରା (୧୯ ) ଓ ଗ୍ରେମ୍‌ ସ୍ବାନ (୨) ଶୀଘ୍ର ଆଉଟ ହୋଇଯାଇଥିଲେ ହେଁ ବିଶେଷ ଫରକ ପଡ଼ି ନ ଥିଲା। ଭିଲଓ୍ବାରା କିଙ୍ଗ୍ସ ପକ୍ଷରୁ ୟୁସୁଫ ପଠାନ ୨ଟି ଏବଂ ଏସ. ଶ୍ରୀସନ୍ଥ, ସୁଦୀପ ତ୍ୟାଗୀ, ଜେସଲ କାରିଆ ଓ ଶେନ ଓ୍ବାଟସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share