ସୌନ୍ଦର୍ଯ୍ୟର ସମ୍ଭାର ଭୀମକୁଣ୍ଡ

କେନ୍ଦୁଝର ଜିଲା ଖଣିଖାଦାନରେ ଭରପୂର ଥିବା ବେଳେ ଜିଲାରେ ପ୍ରାକୃତିକ ଶୋଭାରାଜି ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଣ ପାହାଡ଼, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଆକାଶ ଛୁଅଁା ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଟାଣିଆଣେ। ସେଥି ମଧ୍ୟରୁ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ଅନ୍ୟତମ। କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଘାଟବାଲି ଯୋଡ଼ି ମୌଜା ଦେଇ ବୈତରଣୀ ନଦୀ ଏଠାରେ ପ୍ରସ୍ତର ମାଳା ଦେଇ ଘର୍ଘର ନାଦରେ କଚାଡ଼ି ହୋଇ ଦୁଇ କୁଣ୍ଡ ସୃଷ୍ଟି ହୋଇ ପ୍ରବାହିତ ହୋଇଛି। ଏଠାରେ ସାନ କୁଣ୍ଡ ଓ ବଡ଼ କୁଣ୍ଡ ଭାବେ ୨ କୁଣ୍ଡ ରହିଛି। କୁଣ୍ଡ ୨ଟି ବୈତରଣୀ ନଦୀର ଗର୍ଭରେ ଉଭୟ ମୟୂରଭଞ୍ଜ ଓ କେନ୍ଦୁଝର ସୀମାନ୍ତରେ ଅବସ୍ଥିତ। ବୈତରଣୀ ଅବବାହିକାରେ ପ୍ରାଚୀନ ଯୁଗର ବିଶେଷ ଧଳା ପ୍ରସ୍ତର ଏଠାରେ ଦେଖିବାକୁ ମିଳିଥାଏ।
ଅନୁଯାୟୀ, ଦ୍ୱାପରଯୁଗରେ ପଞ୍ଚ ପାଣ୍ଡବ ଅଜ୍ଞାତ ବାସ ସମୟରେ ଏଠାରେ ଅବସ୍ଥାନ କରିଥିଲେ। ଭୀମ ବୈତରଣୀ ନଦୀରେ ଗାଧୋଇବାକୁ ଯାଇ ନଦୀ ଗର୍ଭରେ ଗଦା ପ୍ରହାର କରିବାରୁ କୁଣ୍ଡ ସୃଷ୍ଟି ହୋଇଛି ବୋଲି କିମ୍ବଦନ୍ତୀ ରହିଛି। ଏଠାରେ ଥିବା ବଡ଼ କୁଣ୍ଡରେ ପଡୁଥିବା ଜଳ ସ୍ରୋତ ପାତାଳଗାମୀ ହୋଇ ୧୨ କି.ମି. ଦୂର ବାଇଗୁଣ୍ଡିରେ ପ୍ରତିଭାତ ହୋଇଛି। ମକର ଅବସରରେ ଏଠାରେ ଟୁସୁ ମେଳା ହୋଇଥାଏ। ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ପାପନାଶିନୀ ବୈତରଣୀ ଦକ୍ଷିଣା ବର୍ତ୍ତ ହୋଇଥିବାରୁ ଏଠି ବୁଡ଼ ପକାଇଲେ ପାପ ନାଶ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାଘେ ପର୍ବ ଅବସରରେ ମୟୂରଭଞ୍ଜ, କେନ୍ଦୁଝର, ବିହାର ଓ ପଶ୍ଚିମବଙ୍ଗର ସାନ୍ତାଳ ସମ୍ପ୍ରଦାୟର ବ୍ୟକ୍ତିମାନେ ଏଠାରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି। ଶ୍ରଦ୍ଧାଳୁ ଭୀମକୁଣ୍ଡରେ ବୁଡ଼ ପକାଇ ବାଲୁଙ୍କେଶ୍ୱର ଶିବ ଦର୍ଶନ କରିଥାଆନ୍ତି। ଆଦିମ କାଳରୁ ଭୀମକୁଣ୍ଡ କେନ୍ଦୁଝର ଜିଲାରେ ଥିବା ବେଳେ ହଠାତ୍‌ ୧୯୯୯ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଭୀମକୁଣ୍ଡକୁ ମୟୂରଭଞ୍ଜ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଥିଲା। ଫଳରେ ଉଭୟ ଜିଲା ମଧ୍ୟରେ ବିବାଦ ଦେଖାଦେଇଥିଲା। ତେବେ କେନ୍ଦୁଝର ପାର୍ଶ୍ୱ ଭୀମକୁଣ୍ଡକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ସହ ଏହାକୁ ଇକୋ ଟୁରିଜମ କେନ୍ଦ୍ରଭାବେ ଘୋଷଣା କରିବାକୁ ଦାବି ହେଉଛି।

ବୀର କିଶୋର ଦାଶ, ପାଟଣା

Share