Photo: ଉଦଘାଟନ ହେଲା ନବନିର୍ମିତ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲ, ଦେଖନ୍ତୁ କ’ଣ ରହିଛି ନୂଆ ସୁବିଧା ସୁଯୋଗ

ଭୁବନେଶ୍ୱର,୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ବରମୁଣ୍ଡାଠାରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ।

ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ କରାଯାଇଛି। ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ନବନିର୍ମିତ ବସ୍‌ ଷ୍ଟାଣ୍ଡରେ ମିଳିବାକୁ ଥିବା ସୁବିଧା ସୁଯୋଗ ସମ୍ଭନ୍ଧରେ।

1.ଏଠାରେ ଜରୁରୀ କାଳୀନ ଚିକିତ୍ସା ପାଇଁ ରହିବେ ଡାକ୍ତର।
2. ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା ସମୟରେ ଭଲମନ୍ଦ ଜିନିଷ କିଣିବାକୁ ରହିଛି ବ୍ୟବସାୟିକ କମ୍ପ୍ଲେକ୍ସ।
3. ଉପର ମହଲାକୁ ଯିବା ଏବଂ ତଳକୁ ଆସିବା ପାଇଁ ରହିଛି ଏସ୍କାଲେଟର ଓ ଲିଫ୍ଟ।
4. ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ କିମ୍ବା ଆସିବା ପରେ ଯାତ୍ରୀଙ୍କ ପାଇଁ ରହିଛି ବିଶାଳ ପ୍ରତିକ୍ଷାଳୟ।
5. ଯାତ୍ରୀମାନେ କୌଣସି ଅସୁବିଧା କିମ୍ବା ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସାହାଯ୍ୟ କରିବାକୁ ପୋଲିସ୍‌ ଫାଣ୍ଡି ରହିଛି।
6. ଦୂରଯାତ୍ରା କରି ଥକି ଯାଇଥିବା ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ ରହିଛି।
7. ଗରିବ ଗୁରୁବା ଲୋକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବାକୁ ଏଠାରେ ଆହାର କେନ୍ଦ୍ର ରହିଛି।
8. ସେହିଭାଲ ମନମୁତାବକ ଖାଇବା ପାଇଁ ଫୁଡ୍ କୋର୍ଟ ରହିଛି।
9. ପୂର୍ବରୁ ଲୋକେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଆସି ନାକ ଟେକୁଥିବା ବେଳେ ବର୍ତମାନ ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ।
10. ସେହିଭଳି ଏଠାରେ ମିଲେଟ୍ ଶକ୍ତି କାଫେ, ORMAS ଏବଂ କୋରାପୁଟ କଫି ମଧ୍ୟ ମିଳିବ।

ଏହା ବ୍ୟତୀତ ବସ୍‌ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର, ସମ୍ମିଳନୀ କକ୍ଷ, ସୁବିଧା ପରିଚାଳନା କାର୍ଯ୍ୟାଳୟ, ବସ୍ ମାଲିକ ସଂଘ କାର୍ଯ୍ୟାଳୟ, OSRTC କାର୍ଯ୍ୟାଳୟ, OSRTC ଟିକେଟ୍ କାଉଣ୍ଟର,ଏଟିଏମ୍, ବେବି ଫିଡିଂ ରୁମ୍ ମଧ୍ୟ ରହିଛି। ଏସି ଏବଂ ନନ୍ ଏସି ସମେତ ମୋଟ ୧୨୯ ଦୋକାନଗୁଡିକ ମଧ୍ୟ ରହିଛି।

ସେହିଭଳି ଟର୍ମିନାଲ୍ ପରିସରରେ ୧୦୦ରୁ ଅଧିକ ଅଟୋ-ରିକ୍ସା ଏବଂ ୨ଓରୁ ଅଧିକ ଟ୍ୟାକ୍ସି ପାର୍କିଂ ସ୍ଥାନ ସହିତ ୮୫ରୁ ଅଧିକ ଦୁଇ ଚକିଆ ପାର୍କିଂ ପାଇଁ ସ୍ଥାନ ଅଛି। ବ୍ୟକ୍ତିଗତ କାର ଏବଂ ବାଇକ୍ ପାଇଁ ଷ୍ଟିଲ୍ ଫ୍ଲୋରରେ ପ୍ରତ୍ୟେକ ୨୦ ଟି ପାର୍କିଂ ସ୍ଲଟ୍ ଅଛି। ଟର୍ମିନାଲରେ ସମୁଦାୟ ୪୪ ଆକ୍ଟିଭ୍ ବସ୍ ରହଣୀସ୍ଥଳ ରହିଛି, ସିଟି ବସ୍ ସେବା ପାଇଁ ୫ ଟି ରହଣୀସ୍ଥଳ ଏବଂ ନିଷ୍କ୍ରିୟ ପାର୍କିଂ ପାଇଁ ୧୧୧ ବସ୍ ରହଣୀସ୍ଥଳ ଅଛି। ଏହା ବ୍ୟତୀତ ଟର୍ମିନାଲରେ ଥିବା ସୁବିଧା ଗୁଡିକ ହେଉଛି ଗ୍ରାଉଣ୍ଡ ଫ୍ଲୋର- ଯାତ୍ରୀମାନଙ୍କ ପାଇଁ ଅପେକ୍ଷା କରିବା ସ୍ଥାନ, ପାଣି ଟ୍ୟାପ୍ ମଧ୍ୟ ରହିଛି।

 

Share