ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ ଗବେଷଣା କରିଥିଲେ। ଏହି ଗବେଷଣା ରିପୋର୍ଟକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମାନ୍ୟତା ଦେଇଛି।

ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ଗବେଷଣାର ଡାଟା ବେସ୍‌ରେ ଏହା ସ୍ଥାନିତ ହୋଇଛି। ଏହାକୁ ନେଇ ଭିମ୍‌ସାରରେ ଗବେଷଣା କରିଥିବା ଡାକ୍ତରୀ ଟିମ୍‌ ଓ କର୍ତ୍ତୃପକ୍ଷ ଖୁସିବ୍ୟକ୍ତ କରିଛନ୍ତି। ଗବେଷକ ଟିମ୍‌ରେ ଥିବା ଡାକ୍ତର ସଞ୍ଜୀବ ମିଶ୍ର କହିଛନ୍ତି, ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନରେ ଭିମ୍‌ସାର ଗବେଷଣା ରିପୋର୍ଟକୁ ସ୍ଥାନିତ କରାଯାଇଛି। ଏହା ଭିମ୍‌ସାର ପାଇଁ ଗୌରବର ବିଷୟ। ଆଗକୁ ଆହୁରି ଗବେଷଣା କରିବାକୁ ଉତ୍ସାହ ମିଳିବ।
ସୂଚନାଯୋଗ୍ୟ ଭିମ୍‌ସାରର ଡା. ସଞ୍ଜୀବ ମିଶ୍ର, ଡା. ସୁବ୍ରତ କୁମାର ନାଏକ, ଡା. ରାଜୀବ କୁମାର ନନ୍ଦ, ଡା. ସୁମନ୍ତ ସାହୁଙ୍କ ସହ ଭୁବନେଶ୍ୱର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ସେମାନେ ଅନ୍ୟ ବ୍ଲଡ ଗ୍ରୁପ ଅପେକ୍ଷା ଓ’ ପଜିଟିଭ, ବି’ ପଜିଟିଭ ବ୍ଲଡ ଗ୍ରୁପରେ ସଂକ୍ରମଣ ହାର ଅଧିକ ବୋଲି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହା ସହ ଦ୍ୱିତୀୟ ଡୋଜ୍‌ ଟିକା ପରେ ଆଣ୍ଟିବଡି କ୍ଷମତା କମିଯାଉଛି। ତେଣୁ ଉଚିତ ସମୟରେ ବୁଷ୍ଟର ଡୋଜ୍‌ ନେବାକୁ ପରାମର୍ଶ ଦେଇଥିଲେ।

କୋଭିଡ୍‌ ଟିକା ନେବା ପରେ ମଣିଷର ଆଣ୍ଟିବଡି ଉପରେ ଗବେଷଣା କରିବାକୁ ଏକ ଟିମ୍‌ ଗଠନ ହୋଇଥିଲା। ଦ୍ୱିତୀୟ ଡୋଜ୍‌ ନେଇଥିବା କେତେଜଣ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ ୧୨୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ସେମାନଙ୍କଠାରୁ ପ୍ରଥମ ଡୋଜ୍‌ର ୧ ମାସ ପରେ ଓ ଦ୍ୱିତୀୟ ଡୋଜ୍‌ ନେବାର ୬ ମାସ ପରେ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଟିକା ନେବା ପରେ ଆଣ୍ଟିବଡି ଓ ସଂକ୍ରମଣ ଆଶଙ୍କା ନେଇ ଗବେଷଣ ହୋଇଥିଲା। ଦ୍ୱିତୀୟ ଡୋଜ୍‌ ନେବା ପରେ ଆଣ୍ଟିବଡି କ୍ଷମତା କମିବାରେ ଲାଗିଥାଏ। ଓ’ ପଜିଟିଭ ଓ ବି’ ପଜିଟିଭ ବ୍ଲଡ ଗ୍ରୁପ୍‌ରେ ଏହି ସଂଖ୍ୟାର ହାର ଅଧିକ ଦେଖିବାକୁ ମିଳିଥିଲା। ଏପରି କି ୭ ଜଣଙ୍କ ଆଦୌ ଆଣ୍ଟିବଡି କ୍ଷମତା ନ ଥିଲା।

Share