ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା,୨୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆ ବର୍ଷ ଭୋଜି ପାଇଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଜାତୀୟ ଉଦ୍ୟାନ ଭିତରକନିା ଉପରେ ରହିଛି। ବନ୍ୟ ପଶୁ ବାର୍‌ହା, ହରିଣ, ଦେଶୀ ଓ ବିଦେଶାଗତ ପକ୍ଷୀ, ସାମୁଦ୍ରିକ ପ୍ରାଣୀ ଅଲିଭ ରିଡଲେ ଆଦି ଏହି ପିକ୍‌ନିକ ଋତୁରେ ସୁରକ୍ଷିତ ନୁହନ୍ତି। ଏଥିସହିତ ଏବେ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ପ୍ରଚୁର ମାଛ ଦେଖା ଦେଉଥିବାରୁ ବ୍ୟବସାୟୀଙ୍କ ଆଖି ତା’ ଉପରେ ରହିଛି। କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ମାଛ ଧରିବା ଅଭିଯୋଗରେ ଗିରଫ ହୋଇ ସାରିଲେଣି। ଆସନ୍ତା ବଡ଼ଦିନ ଓ ନୂଆବର୍ଷ ପାଇଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଭିତରକନିକା ଉପରେ ପଡିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ମତ ରହିଛି।
ରାଜନଗରର ବସନ୍ତ କୁମାର ହାତୀ କହିଛନ୍ତି, ଏହି ଦୁଇଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସମସ୍ତ ଅଞ୍ଚଳରେ ଭୋଜିଭାତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ଶିକାର ଖୋଜିବାରେ ଲାଗି ପଡିଛନ୍ତି। ଭିତରକନିକାରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି। ସାଧାରଣରେ ଏହି ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ ସମାହାର ଏଠାରେ ଦେଖିବାକୁ ମିଳେ। ଭିତରକନିକା ଆଭ୍ୟନ୍ତର ଓ ବାହ୍ୟ ଅଞ୍ଚଳରେ ପକ୍ଷୀଙ୍କ ଶିକାର ଚାଲିଛି। ଏହାର ମାଂସ ନିକଟସ୍ଥ ବ୍ଲକ ଅଞ୍ଚଳ ସମେତ ପାରାଦୀପ, ଧାମରା, ଯାଜପୁର ଆଦି ଅଞ୍ଚଳକୁ ଯାଉଛି। ଏହା ନୂଆ କଥା ନୁହେଁ। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାର୍‌ହା, ହରିଣଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କୁ ମାଂସ ପାଇଁ ଶିକାର କରାଯାଉଛି। ଏଥିସହିତ ସାମୁଦ୍ରିକ ଜୀବଙ୍କୁ ଶିକାର କରାଯାଇ ଏହି ଦୁଇ ଦିନରେ ଶିକାରୀ ଏହି ୨ଦିନରେ ଭଲ ରୋଜଗାର କରୁଛନ୍ତି। ଦୋଳଗୋବିନ୍ଦ ଜେନା କହିଛନ୍ତି, ଯନ୍ତା ସହିତ କୁକୁରକୁ କେତେକ ଶିକାରୀ ଶିକାର ସମୟରେ ବ୍ୟବହାର କରୁଛନ୍ତି। ସେହିପରି ବିରଳ ଅଲିଭ ରିଡଲେ କଇଁଛ ଶିକାର ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ପଶୁ,ପକ୍ଷୀଙ୍କ ମାଂସ ପାଇଁ ଶିକାର ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସ କହିଛନ୍ତି, ଏନେଇ ବନ ବିଭାଗ ସତର୍କ ଅଛି। ବିଭିନ୍ନ ରେଞ୍ଜ ଅଫିସରଙ୍କୁ ଏସମ୍ପର୍କରେ ଆଲର୍ଟ କରାଯାଇଛି।

Share