କେନ୍ଦ୍ରାପଡ଼ା ଅଫିସ, ୧୮ା୪: ବିଶ୍ୱ ଐତିହ୍ୟ ତାଲିକାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ଯୋଡ଼ିବା ପାଇଁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏକ ଟିମ୍ ଏଥିପାଇଁ ଅନୁଧ୍ୟାନ କରିଥିଲେ । ତେବେ ଏହି ପ୍ରାକୃତିକ ପରିବେଶରେ ଥିବା ଗ୍ରାମ, ଚିଙ୍ଗୁଡି ଘେରି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ଟିମ୍ ସଦସ୍ୟମାନେ ପ୍ରଶ୍ନ ଉଠାଇବାରୁ ୨୦୧୭ରେ ଅନୁଷ୍ଠିତ ଆଇୟୁସିଏନ୍ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ୍ ନେଚର) ବୈଠକରେ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍ ପଡିଛି । କେବଳ ଭିତରକନିକାର ଜୈବ ବିବିଧତା ଏହି ଜିଲାରେ ନଷ୍ଟ ହେଉନାହିଁ, ଇଂରେଜମାନଙ୍କ ଦ୍ୱାରା ସହରର ପୁରୁଣା ବସଷ୍ଟାଣ୍ଡରେ ପ୍ରତିଷ୍ଠିତ ପ୍ରଥମ ବାଳିକା ବିଦ୍ୟାଳୟର ପୁରୁଣା ଘରକୁ ସଂରକ୍ଷଣ ବଦଳରେ ୨୦୧୭ରେ ମାଟିରେ ମିଶାଇ ଦିଆଗଲା । ଏପରି ବହୁ ଐତିହ୍ୟ ଓ ଗରିମାମୟ ସ୍ମାରକୀ ଅଣଦେଖା ଅବସ୍ଥାରେ ପଡିଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପୁରୁଣା ମନ୍ଦିରର ଗରୁଡ଼ ମୂର୍ତ୍ତି ଏବେ ବବକରପୁରରେ ଥିବା ଆଲୋଚନା ହେଉଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥ ହାବେଳିସାହି ଜଗନ୍ନାଥ ମନ୍ଦିରରେ ଥିବା ଚକାସନର ଲିପି ଗବେଷଣା ପାଇଁ ଆହ୍ବାନ କରିଛି ।
ଏ ସମ୍ପର୍କରେ ଐତିହାସିକ ଡ. ହରିଶଚନ୍ଦ୍ର ପୃଷ୍ଟି, ଗବେଷକ ଡ. ସର୍ବେଶ୍ୱର ସେଣ, ଶିକ୍ଷାବିତ୍ ଭୁବନମୋହନ ଜେନା ପ୍ରମୁଖ କହିଛନ୍ତି, ନୌବାଣିଜ୍ୟ ସମ୍ପର୍କିତ ବହୁ ଐତିହ୍ୟ ସ୍ମାରକୀ ଜିଲାର ବିଭବ ସାଜିଛି । ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ଭିତରକନିକାସ୍ଥିତ ନାୟକବାବୁ ମନ୍ଦିର, ପଞ୍ଚୁବରାହୀ ମନ୍ଦିର, ଲଙ୍କେଶ୍ୱର ମନ୍ଦିର ଏହାର ଉଦାହରଣ ମାତ୍ର । ହୁକିଟୋଲା, ବତୀଘର, ଫଲ୍ସ ପଏଣ୍ଟ, କେନ୍ଦ୍ରାପଡ଼ା କେନାଲ, ବରୁଣେଇ ପେଣ୍ଠ ଆଦିର ଇତିହାସ ଥିବା ବେଳେ ଏହାର ବିକାଶ ହୋଇପାରୁନାହିଁ । ସେହିପରି ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର, ସିକୋ ଅଷ୍ଟଶମ୍ଭୁ, ଚଉଦକୁଲାଟ ଓ ଡେରାବିଶର ଦଧିବାମନଜୀଉ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ହାବେଳିସାହିର ଜଗନ୍ନାଥ ମନ୍ଦିରର ଚକାସନ ଗବେଷଣାକୁ ଅପେକ୍ଷା କରିଛି । ସେଠାରେ ଥିବା ଚକାସନରେ ପ୍ରାକ୍ ଓଡ଼ିଆ ଭାଷାରେ କିଛି ଲେଖାଯାଇଛି; ଯାହାର ପଠନ କରାଗଲେ ସହରର ପୁରୁଣା ଜଗନ୍ନାଥ ମନ୍ଦିରର ଚକାସନ କିମ୍ବା ପୁରୀ ଶ୍ରୀକ୍ଷେତ୍ରର ସୁଭଦ୍ରାଙ୍କ ଚକାସନ ସମ୍ପର୍କରେ ତଥ୍ୟ ମିଳିପାରନ୍ତା । ସେହିପରି ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ଏବେ ମହାକାଳପଡ଼ା ବ୍ଲକ ବବକରପୁର କାଳିଦାସ ମନ୍ଦିରରେ ଥିବା ବେଳେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋପୀନାଥ ଖଣ୍ଡିତ ଅବସ୍ଥାରେ ବଡବାରଙ୍ଗ ଗ୍ରାମରେ ପୂଜା ପାଉଛନ୍ତି । ଏହା ବ୍ୟତୀତ ୧୮୭୮ ମସିହା ବ୍ରିଟିଶ ଶାସକଙ୍କ ଦ୍ୱାରା ଗଜପତି ଦିବ୍ୟସିଂହ ଦେବଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସହରର ବିନୋଦବିହାରୀ ମନ୍ଦିର ପରିସରରେ ରହିଥିବା ପ୍ରମାଣ ଅଛି ।
ନାଥ ଧର୍ମର ପ୍ରଚାରକଙ୍କ କେନ୍ଦରା ବାଦ୍ୟ ଜିଲାରୁ ଲୋପ ପାଉଛି । ଏହି ଧର୍ମ ପ୍ରଚାରକଙ୍କ ପ୍ରତିମୂର୍ତ୍ତି ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି । ମତ୍ସେନ୍ଦ୍ରନାଥ, ଶୈଳେନ୍ଦ୍ରନାଥ, ଇଚ୍ଛାନାଥଙ୍କ ସମାଧିସ୍ଥଳ ସହିତ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିର ଚକ୍ର ମଞ୍ଜୁଶ୍ରୀ, ଅବଲୋକତିଶ୍ୱର ଓ ତାରା ଆଦି ମୂର୍ତ୍ତିର ସଂରକ୍ଷଣ ହେଉନାହିଁ । ରାଜ୍ୟର ସର୍ବପ୍ରଥମ ଡାଇମଣ୍ଡ ଜୁବ୍ଲି ପାଠାଗାର କନିକା ଲାଇବ୍ରେରିରେ ଜିଲାର ଐତିହ୍ୟ ସମ୍ପର୍କରେ ବହୁ ତଥ୍ୟ ଅଛି । ରାଜନଗରର ଏକ ସଂସ୍କୃତ କଲେଜରେ ବହୁ ପ୍ରାଚୀନ ତାଳପତ୍ର ଓ ଭୁଜପତ୍ର ପୋଥି ଅଛି, ହେଲେ ତା’ର ସଂରକ୍ଷଣ ହେଉନାହିଁ । ୧୮୮୭ର ସୂର୍ଯ୍ୟଘଡି, ଡେରାବିଶ ବ୍ଲକ ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅରର ସୁରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ । ଇତିହାସ ଆଇନାରେ ଆମେ ସୁସଂସ୍କୃତ ହୋଇପାରିବା ବୋଲି ଗବେଷକମାନେ କହିଛନ୍ତି । ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ନିରୋଜ କୁମାର ସାହୁ କହିଛନ୍ତି, ବିଭିନ୍ନ ପର୍ଯ୍ୟଟନସ୍ଥଳି ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରକ୍ରିୟା ଜାରି ରହିଛି।