ରାଜନଗର, ୧।୫(ଡି.ଏନ.ଏ.): ମେ’ ୧ଠାରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ପାଇଁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ। କୁମ୍ଭୀରମାନେ ସ୍ଥଳଭାଗକୁ ଉଠି ସୁରକ୍ଷିତ ସ୍ଥାନ ଦେଖି ବସା ବାନ୍ଧି ଅଣ୍ଡାଦାନ କରିଥାନ୍ତି। ଏହି ସମୟରେ ମା’ କୁମ୍ଭୀର ଅଧିକ ହିଂସ୍ର ହୋଇଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ମେ’ ୧ରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥାଏ।