କେନ୍ଦ୍ରାପଡ଼ା ଅଫିସ, ୧୭।୮: କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ବିପଦର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଏହି ଆର୍ଦ୍ରଭୂମିକୁ ଆଗାମୀଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀ ଓ ୨୭ ନାଳ ଭିତରକନିକାର ହେନ୍ତାଳ ବଣକୁ ବଞ୍ଚାଇ ରଖୁଛି। ତେବେ ଏହିସବୁ ନଦୀ, ନାଳ ଉପରମୁଣ୍ଡର ବିଭିନ୍ନ ସ୍ଥାନରେ ମଧୁର ଜଳ ଅଟକ ଓ ଉତ୍ତୋଳନ ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବ। ଏପରି ସମସ୍ୟାର ସମାଧାନ ପାଇଁ ଭିତରକନିକା ଇକୋ ସେନ୍ସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଗତ ୧୦ ତାରିଖରୁ ଅନଶନରେ ବସିଛନ୍ତି। ଭିତରକନିକାକୁ ସମ୍ଭାବ୍ୟ ବିପନ୍ନ ସ୍ଥିତିରୁ ବଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପରିବେଶବିତ୍ମାନେ ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାର, ରାଜ୍ୟ ଓ ଜିଲା ବନ ସଂରକ୍ଷକଙ୍କୁ ୫ ପ୍ରଶ୍ନ ପଚାରିଛନ୍ତି। ଉତ୍ତର ନ ମିଳିଲେ ଜାତୀୟସ୍ତରରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପରିବେଶବିତ୍ମାନେ କହିଛନ୍ତି।
ଅନଶନକାରୀ ଶ୍ରୀକାନ୍ତ ନାୟକ, ପରିବେଶବିତ୍ ଭୁବନେଶ୍ୱରର ବିଶ୍ୱନାଥ ମହାନ୍ତି, ଫଇଜଲ ଖାନ୍, ପୁରୀର ସୌମ୍ୟରଞ୍ଜନ ମହାନ୍ତି, ରାୟଗଡ଼ାର ବଳରାମ ପଣ୍ଡା, କେନ୍ଦ୍ରାପଡ଼ାର ହେମନ୍ତ କୁମାର ରାଉତ, ପ୍ରାଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂହ କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ। ୬୦% ଲୁଣା ଓ ୪୦% ମଧୁର ଜଳର ମିଶ୍ରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ। ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳିଥାଏ। ରାଜ୍ୟରେ ୪୮୦ କି.ମି. ସମୁଦ୍ର ତଟ ଅଞ୍ଚଳରେ ୨୨୨ ବର୍ଗ କି.ମି. ଘଞ୍ଚ ହେନ୍ତାଳବଣ ରହିଛି। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କି.ମି. ତଟ ଅଞ୍ଚଳରେ ୧୮୩ ବର୍ଗ କି.ମି. ଏହି ବଣ ଅଛି। ତେବେ ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଅକାମୀ ହେବାକୁ ଯାଉଛି। ଛତିଶଗଡ଼ରେ ମହାନଦୀରେ ବନ୍ଧ ନିର୍ମାଣ ପରେ ଅଣମୌସୁମୀ ସମୟରେ ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲାରେ ଜଳସ୍ରୋତ କମି ଯାଉଛି। ଏହି ସମୟରେ ଜଗତ୍ସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀରେ ଏକ ବୃହତ ଜଳାଶୟ ନିର୍ମାଣ କରାଯାଇ କେନ୍ଦ୍ରାପଡ଼ା ଜିଲା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି। ଫଳରେ ମହାନଦୀର ତଳମୁଣ୍ଡରେ ଥିବା ଭିତରକନିକାକୁ ମଧୁର ଜଳ ପହଞ୍ଚତ୍ବା ଆଶା କ୍ଷୀଣ। ସେହିପରି କିଛିବର୍ଷ ହେଲା ଅଣମୌସୁମୀ ସମୟରେ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚତ୍ ପାରୁନାହିଁ। ମୌସୁମୀ ସମୟରେ ଭିତରକନିକା ଆସୁଥିବା ଜଳକୁ ଏବେ ଯାଜପୁର ସହର ନିକଟ ନିର୍ମାଣାଧୀନ ଜଳାଶୟରେ ରଖିବାକୁ ଯୋଜନା ହୋଇଛି। ବ୍ରାହ୍ମଣୀ ସିଷ୍ଟମରେ ବ୍ରାହ୍ମଣୀ ଓ ଶାଖାନଦୀ ଖରସ୍ରୋତା ରହିଛି। ଏବେ ଖରସ୍ରୋତାରେ କେନ୍ଦ୍ରାପଡ଼ା ଜିଲାର ୨ଟି ସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ ଓ ୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିସହ ଭଦ୍ରକ ଜିଲାର ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନିଆଯିବ। ଏହି ୫ ପ୍ରକଳ୍ପର ଆବଶ୍ୟକତା ପୂରଣ ପରେ ଖରସ୍ରୋତା ପାଣି ଭିତରକନିକାରେ ପହଞ୍ଚତ୍ବା ନେଇ ସନ୍ଦେହ ସୃଷ୍ଟିି ହୋଇଛି। ଏଭଳିସ୍ଥଳେ କେବଳ ବ୍ରାହ୍ମଣୀର ସ୍ବଳ୍ପଧାରା ଭିତରକନିକାର ପ୍ରାକୃତିକ ବିଭବକୁ ବଞ୍ଚାଇବା ସମ୍ଭବ ନୁହେଁ। ଭିତରକନିକାର ଏହି ବିପଦରେ ଡିଏଫ୍ଓ ଓ ମୁଖ୍ୟ ବନ୍ୟ ସଂରକ୍ଷକ କାହିଁକି ନୀରବ ରହିଛନ୍ତି ବୋଲି ଉପରୋକ୍ତ ପରିବେଶବିତ୍ମାନେ ପ୍ରଶ୍ନ କରିଛନ୍ତି। ଏଥିସହ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ଓ ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ଭିତରକନିକା ଇକୋ ସେନସେଟିଭ ଜୋନରେ ଅଛି। ଏହି ଜୋନରେ ପ୍ରକଳ୍ପ ଚାଲିବା ଦ୍ୱିତୀୟ ପ୍ରଶ୍ନ ହୋଇଛି। ୩ୟରେ ଭିତରକନିକାକୁ ସମୃଦ୍ଧ କରୁଥିବା ନଦୀର ସ୍ବାଭାବିକ ଜଳସ୍ରୋତ ତଳମୁଣ୍ଡରେ ପହଞ୍ଚତ୍ବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା କାହିଁକି କାର୍ଯ୍ୟକାରୀ ହୋଇନାହିଁ। ୪ର୍ଥରେ ମଧୁର ଜଳର ପରିମାଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯାଇ ନ ଥିବା ଏବେ ବିପଦ ସୃଷ୍ଟି କରିଛି। ସେହିପରି ବିଭିନ୍ନ ସ୍ଥାନରେ ମେଗା ପାନୀୟ ଜଳ ପ୍ରକଳ୍ପ ପରେ ଜାତୀୟ ଉଦ୍ୟାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କମିଟିର ରିପୋର୍ଟ କେବେ ବୋଲି ସେମାନେ ଶେଷ ପ୍ରଶ୍ନ ପଚାରିଛନ୍ତି। ଏ ସମ୍ପର୍କରେ ଡିଏଫ୍ଓ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ୨୦୨୦ ଡିସେମ୍ବରରୁ ଭଦ୍ରକର ପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଏ ନେଇ ଆଇଆଇଟି ହାଇଦ୍ରାବାଦ ରିପୋର୍ଟ ଦେଇଛି ବୋଲି ସେ କହିଛନ୍ତି।