ଭୂମିପୂଜନ

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ଦିନରେ ୫୦ ହଜାର ଲୋକ ଆକ୍ରାନ୍ତ ହେବା ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ରହିଥିବାରୁ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଅସଂଖ୍ୟ ବ୍ୟବସାୟିକ ସଂସ୍ଥାରେ ସ୍ଥାୟୀ ଭାବେ ତାଲା ପଡ଼ିଯାଇଥିବା ବେଳେ ବେକାର ସମସ୍ୟା କୂଳ ଲଂଘିସାରିଲାଣି। ସରକାରୀ ସଂସ୍ଥାଠାରୁ ଆରମ୍ଭକରି ଘରୋଇ ଉଦ୍ୟୋଗ ଖର୍ଚ୍ଚକାଟ କରି ଯେନତେନ ତିଷ୍ଠିବାକୁ ପ୍ରୟାସ କରୁଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରଧାନମନ୍ତ୍ରୀ ଓ ଆଉ କିଛି ଭାଜପା ନେତା ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମିପୂଜନ କାର୍ଯ୍ୟ ଲାଗି ତତ୍ପର ହେଉଥିବା ଖବର ଶୁଣିବାକୁ ମିଳୁଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇସାରିଲାଣି। ଭୂମିପୂଜନ ଉପଲକ୍ଷେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଅଯୋଧ୍ୟା ନଗରୀକୁ ସଜାଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ଏଆଇଏମ୍‌ଆଇଏମ୍‌ ଏମ୍‌ପି ଇମ୍‌ତିଆଜ୍‌ ଜଲିଲ୍‌ ପ୍ରଧାନମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଯଦି ମନ୍ଦିର ଯାଇପାରିବେ, ତେବେ ମସ୍‌ଜିଦ୍‌ରେ ମୁସଲମାନମାନେ କାହିଁକି ନମାଜ ପଢ଼ିପାରିବେ ନାହିଁ।
ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଯେତେବେଳେ ପୂଜାସ୍ଥଳୀଗୁଡ଼ିକ ବୁଲିବା ଉପରେ କଟକଣା ଜାରି କରାଯାଇଛି, ସେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ତରବରିଆ ଭାବେ କାହିଁକି କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ହେଉଛି। ଅନ୍ୟପଟେ ଏଭଳି ମତ ପ୍ରକାଶ ପାଉଛି ଯେ, ଯେତେବେଳେ ପୂର୍ବରୁ ସୋମନାଥ ମନ୍ଦିରର ନୂତନ ଅଙ୍ଗର ଉଦ୍‌ଘାଟନ ହୋଇଥିଲା, ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା କରାଯାଇଥିଲା। ଭାରତର ଅନେକ ଲୋକଙ୍କ ଆଶା ଆକାଂକ୍ଷା ରୂପେ ଗଢ଼ିଉଠୁଥିବା ରାମ ମନ୍ଦିରର ଭୂମିପୂଜନ ସେହିଭଳି ଭାବେ ଆଜିର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦ୍ୱାରା କରାଯାଇପାରିଥାନ୍ତା। ଏଭଳି ଏକ ଧାର୍ମିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ହାତେଇ ନେଲେ ତାହା ଧାର୍ମିକ ନ ହୋଇ ରାଜନୈତିକ ରଙ୍ଗରେ ରଙ୍ଗାୟିତ ହୋଇଯିବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଉଛି। ଅନ୍ୟପଟେ ଆଜିର ରାଷ୍ଟ୍ରପତିଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲେ ତାହା ହିନ୍ଦୁ ସମାଜ ଭିତରେ ଥିବା ଜାତି ବିଭେଦକୁ ଭାଙ୍ଗିବାରେ ସାହାଯ୍ୟ କରିଥାଆନ୍ତା ବୋଲି ଅନ୍ୟ କେତେକ ମତ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମାଧ୍ୟମରେ ଦେଶବାସୀଙ୍କୁ ବାର୍ତ୍ତା ଦେଉଛନ୍ତି। ଦୁଇ ଗଜ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଅଯୋଧ୍ୟା ଭୂମିପୂଜନ ବେଳେ ସାଧୁ ସନ୍ଥଙ୍କୁ ମିଶାଇ ପ୍ରାୟ ୨୦୦ ଲୋକ ଗୋଟିଏ ଜାଗାରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କରିବା ଭାଜପାର ଏକ ବହୁପୁରୁଣା କାର୍ଯ୍ୟସୂଚୀ ରହିଆସିଛି। ସେଥିପାଇଁ ହିଂସା, ମୃତ୍ୟୁ, ବହୁ ବାଦବିବାଦ ସହିତ କୋର୍ଟ କଚେରି ହୋଇଛି। ଶେଷରେ ସୁପ୍ରିମକୋର୍ଟ ୯ ନଭେମ୍ବର ୨୦୧୯ରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ସୂତ୍ର ଦେଇଥିଲେ। ବିବାଦୀୟ ସ୍ଥଳରେ ରାମ ମନ୍ଦିର ପ୍ରତିଷ୍ଠା କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣ ଲାଗି ୫ ଏକର ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ଐତିହାସିକ ରାୟ ପ୍ରକାଶ ପାଇବା ପରେ ରାମ ମନ୍ଦିର ଭୂମିପୂଜନ ଲାଗି ବିଧିବଦ୍ଧ ଅନୁମତି ମିଳିଯାଇଥିଲା। ସେହି ଦୃଷ୍ଟିରୁ ଦେଖିଲେ ଭୂମିପୂଜନ ସକାଶେ ଶୁଭ ଦିନ ୫ ଅଗଷ୍ଟ ରଖାଯାଇଛି। ଏହା କହିବା ସହିତ ବହୁ ଆକାଂକ୍ଷିତ ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟ ଅଧିକ ବିଳମ୍ବ କରିବା ଅନୁଚିତ ହୋଇଥାଆନ୍ତା। ବିଶେଷକରି ଏହି ମନ୍ଦିର ଓ ରାମଲାଲାଙ୍କ ଇତିହାସକୁ ଦେଖିଲେ ଏହା ଏକ ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି କରୁଥିବାର ସୂତ୍ର ହୋଇଯାଇଥିଲା। ତାହାର ସମାଧାନ ଦିଗରେ ସୁପ୍ରିମକୋର୍ଟଙ୍କ ରାୟ ଅନେକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥିଲେ ମଧ୍ୟ ସର୍ବସାଧାରଣରେ ସନ୍ତୁଷ୍ଟିଲାଭ କରିଥିଲା। ଅନେକ କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ଅଳ୍ପ କେତେକ ମାସ ମଧ୍ୟରେ ଶେଷ ହେବ। ଅଯୋଧ୍ୟାରେ ଯେତେ ଶୀଘ୍ର ରାମ ମନ୍ଦିର ଗଢ଼ିଉଠିବ ଉତ୍ତର ଭାରତରେ ଶାନ୍ତି ସ୍ଥାପନା ହେବା ସେତିକି ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image