ମୁମ୍ବାଇର ହାଜି ଅଲି ଛକରେ ହେବ ସୁର ସାମ୍ରାଜ୍ଞୀଙ୍କ ୪୦ ଫୁଟ୍‌ ମୂର୍ତ୍ତୀ

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ମୁମ୍ବାଇର ତାଡଦେବ ସ୍ଥିତ ହାଜି ଅଲି ଛକଠାରେ ବିଏମସି ଲତା ମଙ୍ଗେସକରଙ୍କ ସ୍ମୃତିରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବ। ଏଥିପାଇଁ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହାର ଭୂମି ପୂଜନ କରାଯାଇଥିଲା। ଏହି ଭୂମି ପୂଜାରେ ଲତା ମଙ୍ଗେସକରଙ୍କ ଭଉଣୀ ଉଷା ମଙ୍ଗେସକର, ମୀନା ମଙ୍ଗେସକର, ଆଦିନାଥ ମଙ୍ଗେସକର ଏବଂ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ମଙ୍ଗଲ ପ୍ରଭାତ ଲୋଢ଼ା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ଲତା ମଙ୍ଗେସକର ସ୍ମାରକୀର ଭୂମିପୁଜନ ଅବସରରେ ଉଷା ମଙ୍ଗେସକର କହିଛନ୍ତି, ଏକ ବର୍ଷ ମଧ୍ୟରେ ଲତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୂମିପୁଜନ କରାଯାଇଥିବାରୁ ସେ ବହୁତ ଖୁସି। ଇତିମଧ୍ୟରେ ମୁମ୍ବାଇରେ ତିଆରି ହେଉଥିବା କୋଷ୍ଟାଲ ରୋଡକୁ ମଧ୍ୟ ଲତା ଦିଦିଙ୍କ ନାମରେ ନାମକରଣ କରିବା ପାଇଁ ଉଷା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଏମ୍‌୍‌ସି ଲତା ମଙ୍ଗେଶକରଙ୍କ ସ୍ମାରକୀ ପାଇଁ ୫୦ ଲକ୍ଷ ଟଙ୍କା ବଜେଟ ରଖିଛି। ବିଏମସି ତାଙ୍କର ୪୦ ଫୁଟ ମୂର୍ତ୍ତି ତିଆରି କରିବ। ମୂର୍ତ୍ତି ନିର୍ମାଣ କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ମାରକୀର ନାମ ‘ସ୍ବର କଳ୍ପବୃକ୍ଷ’ନାମ ରଖାଯିବ। ଏଥିସହ ସ୍ମାରକୀକୁ ଆକାଶ ଏବଂ ପୃଥିବୀ ନାମରେ ମଧ୍ୟ ଜଣାଯିବ। ଏଠାରେ ସ୍ବତନ୍ତ୍ର ଦିନଗୁଡ଼ିରେ ସ୍ପିକର ଲଗାଇ ଲତା ମଙ୍ଗେସକରଙ୍କ ଗୀତଗୁଡ଼ିକ ବଜାଯିବ। ମହାରାଷ୍ଟ୍ର ଏବଂ ମୁମ୍ବାଇରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ମାରକୀ ନିର୍ମାଣ ହେବାକୁ ଯାଉଛି। ଯାହା ଆକାଶ ଏବଂ ପୃଥିବୀର ସମ୍ପର୍କକୁ ଏକ ଗଛ ସହିତ ସଂଯୋଗ କରିବ।

Share