କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!

ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଏମିତିକି ଫୁସଫୁସ ସଂକ୍ରମଣ ପରେ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରୁନାହିଁ । ଏହାପରେ ବି କରୋନା କିଡ୍‌ନୀ, ଲିଭର, ପାନକ୍ରିଆଜ୍‌, ବ୍ରେନ୍ ଓ ହାର୍ଟରେ କୁପ୍ରଭାବ ପକାଉଛି ବୋଲି ଭୋପାଳ ଏମ୍ସରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି । ଦେଶରେ ପ୍ରଥମଥର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୃଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ କରାଯାଇଥିବା କୋଭିଡ ମୃତକଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି, ଯାହା ଖୁବ୍ ଚିନ୍ତା ଜନକ । ଏଠାରେ ୨୧ ମୃତ କୋଭିଡ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟାନ୍ୟ ରୋଗ ଥିଲା ଓ ଜଣେ କେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆହୁରି ମଧ୍ୟ ଉକ୍ତ ଅଧ୍ୟୟନରୁ ଜଣାପଡିଛି କି ମୃତ କରୋନା ରୋଗୀଙ୍କ ଶରୀରରେ ୨୦ଘଣ୍ଟା ପରେ ବି କରୋନା ଭାଇରସ ଦେଖାଯାଇଛି ।

Share