Categories: ଜାତୀୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଶରୀରର ଏସବୁ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ,୯।୭: କରୋନା ସଂକ୍ରମଣ କେବଳ ଫୁସଫୁସକୁ ସଂକ୍ରମିତ କରେ ନାହିଁ, ବରଂ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବହୁତ କ୍ଷତି ପହଞ୍ଚାଏ। ଏହାର ଖରାପ ପ୍ରଭାବ କିଡନୀ, ଯକୃତ, ଅଗ୍ନାଶୟ, ମସ୍ତିଷ୍କ ଏବଂ ହୃଦୟରେ ମଧ୍ୟ ଦେଖାଯାଇଛି। ଭୋପାଳ ଏମ୍ସ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଦେଶରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏମ୍ସରେ କୋଭିଡ ମୃତଦେହର ପୋଷ୍ଟମର୍ଟମରେ ବାହାରିଥିବା ରିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ରହିଛି। ଭୋପାଳ ଏମ୍ସରେ ୨୧ଟି କୋଭିଡ ମୃତଦେହର ବ୍ୟବଚ୍ଛେଦ ପରେ ଜଣାପଡିଥିଲା ଯେ, କରୋନା ଭୂତାଣୁ କେବଳ ଫୁସଫୁସ ନୁହେଁ କିଡନୀ, ମସ୍ତିଷ୍କ, ଅଗ୍ନାଶୟ, ଯକୃତ ଏବଂ ହୃଦଘାତରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି।
ଭୋପାଳ ଏମ୍ସ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମୃତ୍‌ୟୁର ୨୦ ଘଣ୍ଟା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀଙ୍କ ଶରୀରରେ କୋଭିଡ -୧୯ ଭୂତାଣୁ ମିଳିଛି। ଭୋପାଳ ଏମ୍ସ ନିର୍ଦ୍ଦେଶକ ଡା. ସରମନ ସିଂ କହିଛନ୍ତି ଯେ, ଗତ ବର୍ଷ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏମ୍ସ ଭୋପାଳରେ ୨୧ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା, ଯେଉଁଥିରେ ୪୫% ମୃତକଙ୍କ ବ୍ରେନ୍‌ରେ କରୋନା ଭୂତାଣୁ ପହଞ୍ଚିଥିଲା। କରୋନା ସଂକ୍ରମଣ ଫୁସଫୁସରେ ୯୦ ପ୍ରତିଶତରେ ପହଞ୍ଚିଥିଲା ଏବଂ ଏହା ବ୍ୟତୀତ କରୋନା କିଡନୀ, ଯକୃତ, ଅଗ୍ନାଶୟକୁ ସଂକ୍ରମିତ କରିଥିଲା। ମୃତୁଦେହ ବ୍ୟବଚ୍ଛେଦ ସମୟରେ ଏହା ମଧ୍ୟ ଜଣାପଡିଛି ଯେ ମୃତ୍ୟୁବରଣ କରିଥିବା ଏହି ୨୧ ରୋଗୀଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟ ରୋଗ ଥିବାବେଳେ ଜଣେ ରୋଗୀଙ୍କର କରୋନା ପୂର୍ବରୁ କୌଣସି ରୋଗ ହୋଇ ନ ଥିଲା।

Share