ବାରାଣସୀ,୨୭।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ)ରେ ପାଳନ କରାଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରୀଛାତ୍ର ଏବଂ ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଉରା ସାମ୍ନାରେ ରଙ୍ଗୋଲି ପ୍ରସ୍ତୁତ କରିବା ସହ ପାରମ୍ପରିକ ରୀତିରେ ପୂଜା ଆରମ୍ଭ କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି କୃଷିବିଜ୍ଞାନ ଗବେଷଣା କ୍ଷେତ୍ରସ୍ଥିତ ପୁଷ୍କରିଣୀରେ ଭସାଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସକୁ ସ୍ମରଣ କରିଥିଲେ।
ବାରାଣସୀରେ ଓଡ଼ିଆ ସମ୍ପ୍ରଦାୟର ଏକତା ଏବଂ ଆତ୍ମାକୁ ଦର୍ଶାଇ ବିଏଚୟୁରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ଓଡିଆ ଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏହି ଉତ୍ସବ ଆୟୋଜନ କରାଯାଇଥିଲା। ପ୍ରଫେସର କଲ୍ୟାଣ ଘଡେଇ, ପ୍ରଫେସର ଧନଞ୍ଜୟ ସାହୁ, ପ୍ରଫେସର ଟ୍ବିଙ୍କଲ ପୃଷ୍ଟି, ପ୍ରଫେସର ଅଜିତ ମିଶ୍ର, ଡକ୍ଟର ସରୋଜ ପାଢୀ, ଡକ୍ଟର ଅମୀୟ କୁମାର ସାମଲ ଏବଂ ଅନ୍ୟ ଓଡ଼ିଆ ଅଧ୍ୟାପକମାନେ ଉପସ୍ଥିତ ଥିଲେ।