ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବିଡିଏ ପାଇଁ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରଶଂସିତ। ପ୍ରବଳ ବର୍ଷାରେ ମୁମ୍ବାଇ, ଚେନ୍ନାଇରେ ଯେଉଁ ପରିସ୍ଥିତି ଉପୁଜୁଛି ସେଭଳି ପରିସ୍ଥିତି ଭୁବନେଶ୍ବରରେ ହେଉନାହିଁ। ଏହା ବିଡିଏର ଅବଦାନ। କର୍ମଚାରୀଙ୍କ ଦକ୍ଷତା, ମନୋବଳ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏସବୁ ସମ୍ଭବ ହୋଇ ପାରିଛି। ଏହି କର୍ମଚାରୀଙ୍କୁ ଆର୍ଥିକ ମଜଭୁତ କରିବାକୁ ଋଣ ଓ ମିତବ୍ୟୟ ସମିତି ଉଦ୍ୟମ କରିବା ଆବଶ୍ୟକ ବୋଲିି ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା କହିଛନ୍ତି। ରବିବାର ବିଡିଏ କର୍ମଚାରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ରୌପ୍ୟ ଜୟନ୍ତୀ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ବିଡିଏର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ବଜିତ ମହାନ୍ତି ଯୋଗଦେଇ ଅର୍ଥ ଜମା ହୋଇ ରହିବା ଅପେକ୍ଷା ଏହାକୁ ବିନିଯୋଗ କରି ଆର୍ଥିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଡିଏର ଅର୍ଥ ସଦସ୍ୟ ରୁଦ୍ରନାରାୟଣ ଆଚାର୍ଯ୍ୟ ଯୋଗଦେଇ, ପଡି ରହିଥିବା ଜମି କିଭଳି ବିନିଯୋଗ ହୋଇପାରିବ ଓ କର୍ମଚାରୀଙ୍କ ହିତ ପାଇଁ ବିଡିଏର କିଭଳି ଏକ କର୍ପସ ଫଣ୍ଡ୍ ସୃଷ୍ଟି କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ସମିତି ସଭାପତି ଶୁଭ୍ରାଂଶୁ ଶେଖର ମହାନ୍ତି ସଭା ପରିଚାଳନା କରିଥିଲେ। ସମ୍ପାଦକ କୁଳମଣୀ ଦାସ ସମ୍ପାଦକୀୟ ବିବରଣୀ ପାଠରେ ସମିତି ସଦସ୍ୟଙ୍କ ପାଇଁ ୨ ଲକ୍ଷରେ ସୀମିତ ଥିବା ଋଣ ପରିମାଣ ୫ ଲକ୍ଷକୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ସମିତି ସଦସ୍ୟଙ୍କୁ ଉପହାର ପ୍ରଦାନ କରିଥିଲେ।