Categories: ଖେଳ

ଭୁବନେଶ୍ୱର ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ବିଜୟୀ

ଭୁବନେଶ୍ୱର, ୨ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ସିନିୟର ପୁରୁଷ ଆନ୍ତଃଜିଲା କ୍ରିକେଟ ସୁପର ଲିଗ୍‌ କଳାହାଣ୍ଡି କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱର ‘ଏ’ ଓ ଅବଶିଷ୍ଟ ଓଡ଼ିଶା ‘ଡି’ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି। କଟକସ୍ଥିତ ରେଭେନ୍‌ଶା ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ଅବଶିଷ୍ଟ ଓଡ଼ିଶା ‘ବି’ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର ‘ଏ’ ୧୪୦ ରନରେ ବିଜୟ ଲାଭ କରିଛି। ଏଥିରେ ବିଜୟୀ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୭୫.୨ ଓଭରରେ ୨୮୯ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଦେବାଶିଷ ୮୨, ସତ୍ୟଜିତ୍‌ ସାବତ ୭୮, ସନ୍ଦୀପ ସେଠୀ ୬୧ ରନ କରିଥିଲେ। ଅବଶିଷ୍ଟ ଓଡ଼ିଶା ‘ବି’ ଦଳ ପକ୍ଷରୁ ଟୁକୁନା ସାହୁ ୭୨ରନ ଦେଇ ୪ଟି ଏବଂ ଭାଗେଶ ଶର୍ମା ୬୨ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ୨୯୦ ରନର ବିଜୟ ଲକ୍ଷ୍ୟକୁ ନେଇ ବ୍ୟାଟିଂ କରିଥିବା ଅବଶିଷ୍ଟ ଓଡ଼ିଶା ‘ବି’ ୪୪.୪ ଓଭରରେ ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ରଣଜିତ ସିଂ ୩୯ ଓ ଅଂଶୁମାନ ମିଶ୍ର ୨୬ ରନ କରିଥିଲେ। ଭୁବନେଶ୍ୱର ‘ଏ’ ଦଳ ତରଫରୁ ଶ୍ରେଷ୍ଠ ବୋଲିଂ କରିଥିବା ରୀତେଶ ପ୍ରିୟରଞ୍ଜନ ୩୬ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ଅଂଶୁମାନ ବେଜ୍‌ ୩୪ ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ରୀତେଶ ପ୍ରିୟରଞ୍ଜନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
କଟକସ୍ଥିତ ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଅବଶିଷ୍ଟ ଓଡ଼ିଶା ‘ଡି’ ୧୦୪ ରନରେ ଢେଙ୍କାନାଳକୁ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅବଶିଷ୍ଟ ଓଡ଼ିଶା ‘ଡି’ ୫୮ ଓଭରରେ ୨୪୮ରନ କରି ଅଲଆଉଟ ହୋଇଯାଇଥିଲା। ଆଶିଷ ପରିଜା ୭୮ ଓ ଜାମଳା ମହାପାତ୍ର ୫୨ ରନ କରିଥିଲେ। ଢେଙ୍କାନାଳ ଦଳ ୪୦.୩ ଓଭରରେ ୧୪୪ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ କାହ୍ନା ଭୂତିଆ ୪୦ ଓ ବିକାଶ ରାଉତ ୨୮ରନ କରିଥିଲେ। ଅବଶିଷ୍ଟ ଓଡ଼ିଶା ‘ଡି’ ପକ୍ଷରୁ ଅଙ୍କିତକର ଜୈସ୍ବାଲ ୩ଟି ଉଇକେଟ ନେଇଥିବା ବେଳେ ଦିଲୀପ ପଣ୍ଡା ଓ ଜାମଳା ମହାପାତ୍ର ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଜାମଳା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share