ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ମଧ୍ୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଭୁବନେଶ୍ୱର ବିମାନବନ୍ଦର ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ ଜାରି କରିଛି।
ବିମାନରେ ଭୁବନେଶ୍ୱର ଆସୁଥିବା ସମସ୍ତ ଯାତ୍ରୀଙ୍କର ଆର୍ଟି-ପିସିଆର ଟେଷ୍ଟ କରାଯିବ। ଏହି ନିର୍ଦ୍ଦେଶ ଶୁକ୍ରବାରଠାରୁ ଲାଗୁ କରାଯିବ। ବିଏମ୍ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।
ଏହି ନିର୍ଦ୍ଦେଶ ଅନୁଯାୟୀ,ବିମାନ ଯାତ୍ରୀଙ୍କ ପାଇଁ ଆର୍ଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ପୁଣି ଥରେ ଆର୍ଟି-ପିସିଆର ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍ ଆଇସୋଲେଶନରେ ରହିବେ। ଯଦି ରିପୋର୍ଟ ପଜିଟିଭ ଆସେ, ତା’ହେଲେ ପ୍ରୋଟୋକଲ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।