ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୪ଦିନ ରାଜ୍ୟରେ ତାତିରୁ ନିସ୍ତାର ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଶନିବାର ୪୪.୭ ଡିଗ୍ରୀ ସେଲ୍‌ସିୟସ୍‌ ସହ ଅନୁଗୋଳ ରାଜ୍ୟର ସର୍ବାଧିକ ଏବଂ ବିଶ୍ୱର ୧୧ତମ ଉତ୍ତପ୍ତ ସହର ପାଲଟିଛି। ସେହିପରି ୪୪.୬ ଡିଗ୍ରୀ ସହିତ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ତଥା ବିଶ୍ୱର ୧୩ତମ ଉତ୍ତପ୍ତ ସହର ରହିଥିଲା। ୪୪.୨ ଡିଗ୍ରୀ ସହିତ ବାରିପଦା ତୃତୀୟ ଉତ୍ତପ୍ତ ସହର ରହିଥିଲା। ୩୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୧୪ ସହରରେ ୪୩ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ବୌଦ୍ଧ, ଢେଙ୍କାନାଳ ଓ ଭବାନୀପାଟଣାରେ ୪୩.୭, ନୂଆପଡ଼ା ଓ ଝାରସୁଗୁଡ଼ାରେ ୪୩.୬, ବଲାଙ୍ଗୀର, ଯାଜପୁର, ତାଳଚେର ଓ ନୟାଗଡ଼ରେ ୪୩.୫, କଟକ ୪୩.୪, ଟିଟିଲାଗଡ଼ ୪୩, ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡିରେ ୪୨.୮, ମାଲକାନଗିରି ଓ ରାଉରକେଲାରେ ୪୨.୭, ଜଗତସିଂହପୁର ୪୨.୫, ଚାନ୍ଦବାଲି ୪୨.୪, ସମ୍ବଲପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୪୨.୨, ହୀରାକୁଦ ୪୨.୧, ସୁବର୍ଣ୍ଣପୁର ୪୧.୮, ବାଲେଶ୍ୱର ୪୧.୭, କେନ୍ଦୁଝର ୪୧.୫, ରାୟଗଡ଼ା ୪୧.୪, ଫୁଲବାଣୀ ୪୦.୮, ଖୋର୍ଦ୍ଧା ଓ ବରଗଡ଼ରେ ୪୦.୫, ଛତ୍ରପୁର ଏବଂ ଦେବଗଡ଼ରେ ୪୦ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ଚଳିତ ସିଜିନରେ ପ୍ରଥମ ଥର ପାଇଁ ଦ୍ୱୈତ ନଗରୀରେ ଯୁଗ୍ମ ଭାବେ ଗୋଟିଏ ଦିନରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିଛି। ଭୁବନେଶ୍ୱରରେ ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୬.୮ ଡିଗ୍ରୀ ଅଧିକ ରେକର୍ଡ ହୋଇଥିବାବେଳେ କଟକରେ ୬.୩ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ୨୦୦୩ରେ ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୫୦.୧ ଡିଗ୍ରୀ ରେକର୍ଡ କରଯାଇଥିଲା। ଅପର ପକ୍ଷେ ରବିବାର ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ୧୩ ଜିଲାକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଦେବଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ବରଗଡ଼ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କୋରାପୁଟ ଓ ପୁରୀ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨ ତାରିଖରେ କିଛି ଜିଲାରେ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Share