୩୯.୪ ଡିଗ୍ରୀରେ ଭୁବନେଶ୍ୱର

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ତତଲା ପବନ ସାଙ୍ଗକୁ ଟାଇଁଟାଇଁ ଖରା ପରିବେଶକୁ ଉତ୍ତପ୍ତ କରି ପକାଇଛି। ରାଜଧାନୀ ଭୁବନେଶ୍ୱର ଲଗାତାର ଦୁଇଦିନ ହେବ ଉତ୍ତପ୍ତ ସହରରେ ପରିଣତ ହୋଇଛି। ବୁଧବାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ଗୁରୁବାର ୩୯.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରିପଦାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୩୬.୨, କଟକ ୩୭, ଅନୁଗୋଳ ୩୭.୭, ତାଳଚେର ୩୭.୧, ବଲାଙ୍ଗୀର ୩୭ ଏବଂ ଟିଟିଲାଗଡ଼ରେ ସର୍ବାଧିକ ୩୭.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।
ଆସନ୍ତା ୨୮ ତାରିଖ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ରାତ୍ରିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ତେବେ ମାର୍ଚ୍ଚ ୨ରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ ଆରମ୍ଭ ହେବ। ଏଥିଯୋଗୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଏପ୍ରିଲ ୧୫ରୁ ପାରଦ ଆହୁରି ଉପରମୁହାଁ ହୋଇ ୪୪ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

Share