ଓଡିଏଫ୍‌ ପ୍ଲସ୍‌ ମାନ୍ୟତା ସତ୍ତ୍ୱେ ବାହ୍ୟମଳମୁକ୍ତ ହୋଇ ପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୧୦।୭ (ବନ୍ଦନା ସେଠୀ) : ରାଜଧାନୀ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ଏବେ ମୁକ୍ତାକାଶ ଶୌଚାଳୟ ପାଲଟିଛି। ସହରରେ ୨୦୦ରୁ ଊଦ୍ଧର୍‌ବ ପବ୍ଲିକ ଟଏଲେଟ ଓ କମ୍ୟୁନିଟି ଟଏଲେଟ ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ସେଗୁଡିକୁ ଦେୟମୁକ୍ତ ମଧ୍ୟ କରାଯାଇଛି। ମାତ୍ର ଏହାସତ୍ତ୍ବେ ଜନସାଧାରଣ ଖୋଲାରେ ଶୌଚ କରୁଥିବା ନଜିର ରହିଛି। ଯାହାକି ପରିବେଶକୁ ଅପରିଷ୍କାର କରିବା ସହ ସହରର ଚିତ୍ରକୁ ମଳିନ କରୁଛି। ବାହାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଏବଂ ପରିସ୍ରା କଲେ ୧୫୦ଟଙ୍କା ଜରିମାନା ଆଦାୟ ହେବା ନେଇ ୨୦୧୯ ନଭେମ୍ବର ୧୬ରେ ବିଏମ୍‌ସି ପକ୍ଷରୁ ଘୋଷଣା ହୋଇଥିଲା। ବିଭିନ୍ନ ସ୍ଥାନରେ ଯାଞ୍ଚ କରିବାକୁ ସ୍କ୍ବାଡ୍‌ ମଧ୍ୟ ଗଠନ ହୋଇଛି। ହେଲେ ଦିନେ ଦୁଇ ଦିନ ଯାଞ୍ଚ ପରେ ସବୁ ଠପ୍‌। ବାହ୍ୟ ମଳମୁକ୍ତ ସହର ଭାବେ ୨୦୨୧ରେ ବିଏମ୍‌ସିକୁ ଓଡିଏଫ ପ୍ଲସ୍‌ ମାନ୍ୟତା ମିଳିଥିଲା। ଅର୍ଥାତ୍‌ ସହରରେ କେହି ବାହାରେ ମଳ, ମୂତ୍ର ତ୍ୟାଗ କରୁ ନାହାନ୍ତି। ସମସ୍ତଙ୍କ ଘରେ ଶୌଚାଳୟ ରହିଛି। ବାସ୍ତବରେ ସହରର ସ୍ଥିତି କିଛି ଭିନ୍ନ ରହିଛି। ଯେଉଁଠି ଟିକେ ଖୋଲା ସ୍ଥାନ ମିଳୁଛି କିମ୍ବା, ପାଚେରି କଡ, ଡ୍ରେନ କଡ ଆଦିରେ ଲୋକମାନେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ଏପରିକି ଏଠାରେ ପରିସ୍ରା କରନ୍ତୁ ନାହିଁ, ନଚେତ୍‌ ଜରିମାନା ଦେବାକୁ ପଡିବ ବୋଲି ଲେଖା ହୋଇଥିଲେ ବି ତାକୁ କେହି ମାନୁ ନାହାନ୍ତି। ବିଏମ୍‌ସି ମଧ୍ୟ ଏ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଲୋକମାନେ ନିୟମ ମାନୁ ନାହାନ୍ତି। ଅପରପକ୍ଷେ ସହରରେ ଥିବା କେତେକ ଇ-ଟଏଲେଟ୍‌ରେ ତାଲା ଝୁଲୁଥିବାବେଳେ ଆଉ କେତେକ ଅଚଳ ଅବସ୍ଥାରେ ରହିଛି। ତେଣୁ କାଗଜପତ୍ରରେ ବିଏମ୍‌ସି କର୍ତ୍ତୃପକ୍ଷ ଭୁବନେଶ୍ବରକୁ ଯେମିତି ସ୍ବଚ୍ଛ ଓ ମଳମୁକ୍ତ ସହର ଭାବେ ଦେଖାଉଛନ୍ତି ବାସ୍ତବରେ ତାହା ନାହିଁ। ଯୋଜନାବଦ୍ଧ ଭିତ୍ତିଭୂମି ଅଭାବ ଏବଂ ନିୟମକୁ କଡାକଡି ଭାବେ ଲାଗୁ କରାଯାଉ ନ ଥିବାରୁ ଭୁବନେଶ୍ବର ସ୍ବଚ୍ଛ ସହରରେ ପରିଣତ ହୋଇ ପାରୁନାହିଁ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଓଡିଏଫ ପ୍ଲସ୍‌ର ନିୟମାବଳୀ ଅନୁସାରେ, ସର୍ବସାଧାରଣରେ ଶୌଚାଳୟ ସେବା ମିଳିବା ସହ ସହର ବାହ୍ୟ ମଳମୁକ୍ତ ହୋଇଥିବ। ସେହିପରି ବିଜ୍ଞାନସମ୍ମତ ମଳ ପରିଚାଳନା, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବ, ବ୍ୟକ୍ତିଗତ ପାଇଖାନାଗୁଡିକ ସ୍ବେରେଜ ଲାଇନ ସହ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫ୍ଟିକ ଟାଙ୍କି ରହିଥିବ, ସେଫ୍ଟିକ ଟାଙ୍କି ନିୟମିତ ସଫା ହେଉଥିବ ଏବଂ ଏହି ସଂକ୍ରାନ୍ତୀୟ ସେବା ଲୋକଙ୍କୁ ନିୟମିତ ମିଳୁଥିବ, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହୋଇଥିବେ, ମଳ ପରିଚାଳନା ଉଲ୍ଲଘଂନ କରିଥିବା ସଂସ୍ଥାକୁ ଜରିମାନା କରାଯାଉଥିବା, ପରିମଳ ସମ୍ବନ୍ଧୀୟ ବାଇ ଲ’ ଥିବ ଏବଂ ଏହା ଅନୁଯାୟୀ ପଦକ୍ଷେପ ନିଆଯାଉଥିବ। ତେବେ ଭୁବନେଶ୍ୱରକୁ ଏହି ମାନ୍ୟତା ମିଳିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ବଜାୟ ରଖିବା କଥା ସତେ ଯେପରି ଭୁଲି ଯାଇଛନ୍ତି।

Share