ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ ଆର୍ଲଟ କରାଯାଇଛି। ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷିବ। ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷେବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ କରିଛନ୍ତି। ତେବେ ଏହାରି ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଉ ଦୁଇଦିନ ପରେ ଅର୍ଥାତ୍‌ ୨୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବେଗରେ ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପଗ୍ରହର ଏହି ଚିତ୍ର ବୟାନ କରୁଛି ଯେ ଉତ୍ତର ଆଣ୍ଡାମାନ ସାଗର ନିକଟରେ ହଲଚଲ ଆରମ୍ଭ ହୋଇଯାଇଛି।

୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତି ଜିଲା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମୁଦ୍ର ଉପରିଭାଗର ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ଅଧିକ ରହିଛି। ଫଳରେ ଏଠାରେ ସମୁଦ୍ର ଉପରିସ୍ଥ ବାୟୁମଣ୍ଡଳର ତାପମାତ୍ରା ବଢ଼ିଯାଇଛି। ତାପମାତ୍ରା ବଢ଼ିବା ଫଳରେ ଏଭଳି ହଲଚଲ ଆରମ୍ଭ ହୋଇଯାଇଛି। ପ୍ରକୃତରେ ଦକ୍ଷିଣ ଚାଇନା ସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଧିରେ ଧିରେ ଏହା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ ।

Share