ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।  ଯେଉଁଠି ଦୁର୍ଘଟଣା ହେଲା ସେଠି ୧୧ କେଭି ଏବଂ ୩୩ କେଭି ଲାଇନ୍‌ ଯାଇଥିଲା। ୧୧ କେଭି ଲାଇନ ତଳେ ଯାଇଥିବା ବେଳେ ତାହା କେବୁଲ ହୋଇଥିବାରୁ ଯାତ୍ରୀମାନେ ରକ୍ଷା ପାଇଯାଇଥିଲେ। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିଲେ ମଧ୍ୟ ଅସୁବିଧା ହୋଇଥାନ୍ତା।

ବସ୍‌ଟି ଭୁବନେଶ୍ୱରରୁ ଦାରିଙ୍ଗିବାଡ଼ି ଯାଉଥିଲା। ଭଞ୍ଜନଗର ବସ୍‌ଷ୍ଟାଣ୍ଡଠାରୁ ମାତ୍ର ୧ କିମି ଦୂରରେ ଥିବା ଜାମପଲ୍ଲୀ ଛକରେ ଚାଳକଙ୍କ ଆଖି ପଡ଼ିଯିବା ଯୋଗୁ ଏକ ପାଚେରିକୁ ଧକ୍କା ଦେଇଥିଲା। ଏହାପରେ ଭୟରେ ବସ୍‌ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ୧୦ ମିନିଟ୍‌ ପରେ ଯାତ୍ରୀମାନେ ଗାଡିରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଏହା ପରେ ଅଟୋରେ ବସ୍‌ଷ୍ଟାଣ୍ଡ ଯାଇ ସେଠାରୁ ଅନ୍ୟ ବସ୍‌ରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

Share