Categories: ଜାତୀୟ

କେନ୍ଦ୍ରର ପ୍ରଥମ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ,୬।୫: କେନ୍ଦ୍ର ସରକାରଙ୍କ ପ୍ରଥମ ‘ସ୍ମାର୍ଟସିଟି’ ତାଲିକାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବାକୁ ଥିବା ଏହି ତାଲିକାରେ ୭ଟି ସହର ରହିଛି। ଅନ୍ୟ ସ୍ମାର୍ଟସିଟିଗୁଡ଼ିକ ହେଲା ଭୋପାଳ, ସୁରଟ, ଉଦୟପୁର, ବାରାଣସୀ, ଅହମ୍ମଦାବାଦ ଓ ଇନ୍ଦୋର।

ସହରାଞ୍ଚଳରେ ଦେଖାଦେଉଥିବା ଅସୁବିଧାର ସମାଧାନ ପାଇଁ ପରିବେଶ ଅନୁକୂଳ ହାଇଟେକ୍‌ ଉପାୟ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଆଧାରରେ ଏହି ତାଲିକାରେ ଉକ୍ତ ୭ ସହରକୁ ସାମିଲ କରାଯାଇଛି। ପ୍ରକାଶ ଯେ, ୨୦୧୫ ଜୁନ୍‌ ୨୫ରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ସ୍ମାର୍ଟ ସିଟିଜ୍‌ ମିଶନ’ ଆରମ୍ଭ କରାଯାଇଥିଲା। ଭାରତର ଶହେଟି ସହରରେ ଲୋକେ ଭୋଗୁଥିବା ଅସୁବିଧା ଦୂର ପାଇଁ ଉପାୟ ଖୋଜିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ୭୬% ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିଥିବାରୁ ତାଲିକାରେ ସ୍ଥାନିତ ହେବାକୁ ଯାଉଛି। ଭୁବନେଶ୍ୱର ଓ କଂଗ୍ରେସ ଶାସିତ ରାଜସ୍ଥାନର ଉଦୟପୁରକୁ ବାଦ୍‌ ଦେଲେ ତାଲିକାର ଅନ୍ୟ ୫ ସହର ଭାଜପା ସରକାର ଥିବା ରାଜ୍ୟର। ସ୍ମାର୍ଟସିଟି ମିଶନର ଅବଧି ୨୦୨୩ ଜୁନ୍‌ରେ ଶେଷ ହେବ। ଭୋପାଳ ୯୨% ପ୍ରକଳ୍ପ ଶେଷ କରି ତାଲିକାର ସର୍ବାଗ୍ରେ ଥିବାବେଳେ ଗୁଜରାଟର ସୁରଟ ୮୨%, ଉଦୟପୁର ୭୮% ପ୍ରୋଜେକ୍ଟ ଶେଷ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ବାରାଣସୀ ଏବଂ ଗୁଜରାଟର ଅହମଦାବାଦ ୭୦% ଲେଖାଏ ପ୍ରକଳ୍ପ ଶେଷ କରିଛନ୍ତି। ୨୦୨୩ ବେଳକୁ ଏହି ୭ ସହର ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share