ଏଫ୍‌ଏସ୍‌ଏସ୍‌ଏମ୍‌ରେ ଭୁବନେଶ୍ୱର ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୨।୧୧ :ଫିକଲ୍‌ ସ୍ଲଗ୍‌ ଆଣ୍ଡ ସେପ୍ଟେଜ୍‌ ମ୍ୟାନେଜମେଣ୍ଟ (ଏଫ୍‌ଏସ୍‌ଏସ୍‌ଏମ୍‌) କ୍ଷେତ୍ରରେ ରାଜଧାନୀ ଭୁବନେଶ୍ୱରକୁ ବଡ଼ ସଫଳତା ମିଳିଛି। ମଳଯୁକ୍ତ ଆବର୍ଜନା ଓ ସେପ୍ଟେଜ୍‌ ପରିଚାଳନାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ଭାବେ ଅନ୍ତର୍ଜାତୀୟ ମାନକୀକରଣ ସଙ୍ଗଠନ (ଆଇଏସ୍‌ଓ) ସାର୍ଟିଫିକେଶନ ପାଇଛି। କେବଳ ଏତିକି ନୁହେଁ, ଭୁବନେଶ୍ୱର ଏହି କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବାଂଲାଦେଶର ଝେନଇଦହ ପ୍ରଥମ ସ୍ଥାନ ଅଧିକାର କରିଛି।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ବୁଧବାର ଏଫ୍‌ଏସ୍‌ଏସ୍‌ଏମ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଆଇଏସ୍‌ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଏମ୍‌ସି ଅନୁସାରେ ଏଫ୍‌ଏସ୍‌ଏସ୍‌ଏମ୍‌ ଆପଣାଇବାରେ ଏହା ହେଉଛି ରାଜ୍ୟର ପ୍ରଥମ ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥା। ବିଏମ୍‌ସି ପକ୍ଷରୁ ଖବରକାଗଜରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଘରୋଇ ଅପରେଟର୍ସ ଓ ଘରୋଇ ସେସ୍‌ପୁଲ୍‌(ମଇଳା ପରିବହନକାରୀ) ଯାନବାହନଗୁଡ଼ିକୁ ପଞ୍ଜୀକରଣ କରିବା ପାଇଁ କୁହାଯାଇଥିଲା। ପ୍ରଥମେ ରେଜିଷ୍ଟ୍ରେଶନ କରିବାକୁ ଥିବା ୫୦ ଯାନବାହନରେ ବିଏମ୍‌ସି ପକ୍ଷରୁ ମାଗଣାରେ ଗ୍ଲୋବାଲ୍‌ ପଜିଶନିଂ ସିଷ୍ଟମ୍‌ (ଜିପିଏସ୍‌) ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହିକ୍ରମରେ ଘରୋଇ ଅପରେଟର୍ସଙ୍କ ଦ୍ୱାରା ପରିଚାଳିତ ୨୯ ସେସ୍‌ପୁଲ ଯାନବାହନ ମନିଟରିଂ ପାଇଁ ପଞ୍ଜୀକରଣ କରାଇ ଜିପିଏସ୍‌ ଉପକରଣ ଲଗାଇଛନ୍ତି। ସେସ୍‌ପୁଲ୍‌ ଅପରେଟର୍ସଙ୍କ ଦ୍ୱାରା ବେଆଇନ ଭାବେ ଆବର୍ଜନା ଫୋପଡ଼ାଯିବାକୁ ବନ୍ଦ କରିବା ପାଇଁ ବିଏମ୍‌ସି ଏକ ପ୍ରବର୍ତ୍ତନକାରୀ ସ୍କ୍ବାଡ୍‌ ଗଠନ ପାଇଁ ପଦକ୍ଷେପ ନେଇଛି।

Share