Categories: ଖେଳ

ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରିବେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୩୧ା୩ (ପି.ଟି.):ଭେଟେରାନ ଭାରତୀୟ ସିମର ଭୁବନେଶ୍ୱର କୁମାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ମ୍ୟାଚରେ ଅଧିନାୟକତ୍ୱ କରିବେ। ଦଳର ପ୍ରକୃତ ଅଧିନାୟକ ଏଡେନ ମାରକ୍ରାମ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ସହିତ ଡ୍ୟୁଟିରେ ଅଛନ୍ତି। ଶୁକ୍ରବାର ଅହମଦାବାଦରେ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ଏହାର ଓପନିଂ ମ୍ୟାଚ ରବିବାର ହାଇଦ୍ରାବାଦଠାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ସୂଚନାଯୋଗ୍ୟ, ନେଦରଲାଣ୍ଡ ବିପକ୍ଷ ୨ ଅନ୍ତର୍ଜାତୀୟ ଦିଦିକିଆ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ଲାଗି ମାରକ୍ରାମ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ଏପ୍ରିଲ ୩ରେ ସେ ଭାରତରେ ପହଞ୍ଚତ୍ବେ। ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିବା ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ଚଳିତବର୍ଷ ପରବର୍ତ୍ତୀ ଭାଗରେ ଭାରତରେ ଏହି ଇଭେଣ୍ଟ ଖେଳାଯିବ। ଦକ୍ଷିଣ ଆଫ୍ରିକା ଏହାର ମ୍ୟାଚ ଦୁଇଟି ମାର୍ଚ୍ଚ ୩୧ ଓ ଏପ୍ରିଲ ୨ରେ ଖେଳିବ। ୨୦୧୩ ରେ ଆଇପିଏଲ୍‌ରେ ସନରାଇଜର୍ସର ପ୍ରବେଶ ପରଠାରୁ ୩୩ ବର୍ଷୀୟ ଭୁବନେଶ୍ୱର କୁମାର ଏହି ଦଳରୁ ଖେଳି ଆସୁଛନ୍ତି। ୨୦୧୯ରେ ଦଳ ତାଙ୍କ ଅଧୀନରେ ୬ଟି ଏବଂ ୨୦୨୨ରେ ଗୋଟିଏ ଗେମ୍‌ ଖେଳିଛି। ଭୁବନେଶ୍ୱରଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ଦୁଇଟି ମ୍ୟାଚ ଜିତିଥିବା ବେଳେ ଅବଶିଷ୍ଟ ୫ଟିି ମ୍ୟାଚରେ ପରାଜିତ ହୋଇଛି। ସନରାଇଜର୍ସ ଏହାର ଦ୍ୱିତୀୟ ମ୍ୟାଚ ଏପ୍ରିଲ ୭ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଖେଳିବ। ଦକ୍ଷିଣ ଆଫ୍ରିକୀୟ ଖେଳାଳି ସେତେବେଳକୁ ଭାରତ ଚାଲିଆସିଥିବେ।

Share