ଭୁବନେଶ୍ୱର,୨୧।୬: ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଆନ୍ତର୍ଜାତିକ ସହର ଭାବେ ବିକଶିତ କରାଯିବ। ଏହି ଦୃଷ୍ଟିରୁ ମେଟ୍ରୋ ଟ୍ରେନ ପ୍ରକଳ୍ପର ଗୁରୁତ୍ୱ ରହିଛି ଓ ତାହା ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁସାରେ ଶେଷ ହେବ। ବିଜେଡି ସରକାର ଜାନୁୟାରୀରେ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ରାଜ୍ୟର ସବୁ ସହରାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ଏନଏସି-ମ୍ୟୁନିସିପାଲଟି ଓ ମହାନଗର ନିଗମଗୁଡିକୁ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି।