ଭୁବନେଶ୍ୱର ରିଜିଅନ୍‌ ପାସ୍‌ ହାର ୯୯.୫୫%

ଭୁବନେଶ୍ୱର, ୩୧।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ପାସ୍‌ ହାର ପ୍ରାୟ ୧୦ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଦେଶରେ ପାସ୍‌ହାର ୮୮.୭୮% ଥିବାବେଳେ ଚଳିତବର୍ଷ ଏହା ୯୯.୩୭% ରହିଛି। ଛାତ୍ରଙ୍କ ତୁଳନାରେ ୦.୫୪ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୯୯.୬୭% ଥିବାବେଳେ ୯୯.୧୩% ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୦,୦୦୪ଜଣ ଛାତ୍ରୀଛାତ୍ର ୯୫% ଉପରେ ଓ ୧,୫୦,୧୫୨ଜଣ ୯୦ରୁ ୯୫% ମଧ୍ୟରେ ନମ୍ବର ରଖିଛନ୍ତି। ତେବେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ତିବ୍ବତ୍ତୀୟ ସ୍କୁଲଗୁଡ଼ିକରେ ଶତ ପ୍ରତିଶତ ପାସ୍‌ ହାର ରହିଛି। ତ୍ରିଭେନ୍ଦ୍ରମ ରିଜିଅନ୍‌ରେ ସର୍ବାଧିକ ପାସ୍‌ ହାର ୯୯.୮୯% ରହିଥିବାବେଳେ ଭୁବନେଶ୍ୱର ରିଜିଅନ୍‌ (ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼)ରେ ୯୯.୫୫% ରହିଛି। ସେହିଭଳି ବେଙ୍ଗାଲୁରୁ ରିଜିଅନ୍‌ରେ ପାସ୍‌ ହାର ୯୯.୮୩, ଚେନ୍ନାଇ ୯୯.୭୭, ଦିଲ୍ଲୀ(ପଶ୍ଚିମ) ୯୯.୮୪, ଦିଲ୍ଲୀ (ପୂର୍ବ) ୯୯.୮୪, ପଞ୍ଚକୁଲା ୯୯.୫୪, ଚଣ୍ଡିଗଡ଼ ୯୯.୪୭, ଭୋପାଳ ୯୯.୩୪, ପୁଣେ ୯୯.୩୫, ଆଜ୍‌ମେର ୯୯.୨୯, ନୋଏଡ଼ା ୯୯.୦୨, ଗୁଆହାଟୀ ୯୯.୩୧, ଡେରାଡୁନ ୯୮.୬୪, ପ୍ରୟାଗରାଜ ୯୮.୫୯ ଓ ପାଟଣା ରିଜିଅନ୍‌ରେ ୯୮.୯୧% ରହିଛି।
ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯାଇଥିଲା। ବୋର୍ଡ ପକ୍ଷରୁ ଗଠିତ ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି। ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୧୦ମ ଶ୍ରେଣୀ ଥିଓରିରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟ ଅବଧି ପରୀକ୍ଷା ମାର୍କରୁ ୪୦ ପ୍ରତିଶତ ଆଧାରରେ ଛାତ୍ରୀଛାତ୍ରଙ୍କୁ ମାର୍କ ଦିଆଯାଇଛି। ଏଥିସହ ଦୁଇଟି ପର୍ଯ୍ୟାୟରେ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା। ମୋଟ ୧୩,୬୯,୭୪୫ଜଣ ସିବିଏସ୍‌ଇ ଦ୍ୱାଦଶ ରେଗୁଲାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୪ ହଜାର ୫୬୧ଜଣଙ୍କ ପରୀକ୍ଷାଫଳ ଘୋଷଣା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବାକି ୬୫,୧୮୪ଜଣ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ଅଗଷ୍ଟ ୫ ସୁଦ୍ଧା ଘୋଷଣା କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ସେପଟେ ଦେଶରେ ଆହୁରି ୬୦,୪୪୩ଜଣ ପ୍ରାଇଭେଟ୍‌ ଷ୍ଟୁଡେଣ୍ଟ ରହିଛନ୍ତି। ଏମାନଙ୍କ ପୂର୍ବ ତଥ୍ୟ ଠିକ୍‌ରେ ମିଳିପାରୁ ନ ଥିବାରୁ ଏମାନଙ୍କର ପରୀକ୍ଷା କରିବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆସନ୍ତା ସପ୍ତାହରେ ସିବିଏସ୍‌ଇ ଦଶମ ପରୀକ୍ଷାଫଳ ପ୍ରକାଶ ପାଇପାରେ। ଏ ନେଇ ଶୁକ୍ରବାର ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସୟଂମ ଭରଦ୍ୱାଜ କହିଛନ୍ତି। ଛାତ୍ରୀଛାତ୍ରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

Share