Categories: ଖେଳ

ଭୁବନେଶ୍ୱର, ରାଉରକେଲା ଜୋନ୍‌ ଚାମ୍ପିୟନ୍‌

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଭୁବନେଶ୍ୱର ଲୟୋଲା ସ୍କୁଲ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସିଆଇଏସ୍‌ସିଇ ଆଞ୍ଚଳିକ ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବଲାଙ୍ଗୀର, କଟକ ଓ ଝାରସୁଗୁଡା ଜୋନ୍‌ର ୧୮୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ହକି ଆସୋସିଏଶନର ଉପ ସଭାପତି ଜୀବନ ମହାନ୍ତି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନୀଲେଶ ସେଠୀ, ବି.କେ. ତ୍ରିପାଠୀ, ଲୀନା ଖୁରାନା, ଲିଜି ଯୋଶେଫ୍‌, ଫାଦର ଅଗଷ୍ଟିନ୍‌ ରେକ୍ଟର ଓ ନନ୍ଦିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଲୟୋଲା ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

୩ଟି ବୟସ ବର୍ଗରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୧୪ ବର୍ଷରୁ କମ୍‌ ବୟସ ବର୍ଗରେ ଭୁବନେଶ୍ୱର ଜୋନ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ରାଉରକେଲା ଏହି ବର୍ଗରେ ରନରଅପ୍‌ ରହିଥିଲା। ୧୭ ବର୍ଷରୁ କମ୍‌ ବୟସ ବର୍ଗରେ ରାଉରକେଲା ଜୋନ୍‌ ଚାମ୍ପିୟନ ଓ ଭୁବନେଶ୍ୱର ରନର ଅପ୍‌ ଆଖ୍ୟା ଅର୍ଜନ କରିଥିଲା। ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ରାଉରକେଲା ଜୋନ୍‌ ବିଜୟୀ ହୋଇଥିବା ବେଳେ ଝାରସୁଗୁଡା ରନରଅପ୍‌ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଜନ୍‌ ମାଇକେଲ ଜର୍ଜ, ପି. ସେଲଭି ଓ ପି.କେ. ମହାନ୍ତି ଅତିଥି ଭାବେ ଯୋଗଦେଇ ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। ଲୟୋଲା ସ୍କୁଲର ରେନନ ସେଲଡ୍‌ ଟପ୍ପୋ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Share