Categories: ଖେଳ

ଭୁବନେଶ୍ୱର ସ୍କୁଲ୍ସ ଚେସ୍‌: ଲଳିତ ଚାମ୍ପିୟନ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୩୬ତମ ସ୍କୁଲ୍ସ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ଲଳିତ ରଞ୍ଜନ ସାହୁ ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଲୟୋଲା ସ୍କୁଲର ମନୀଷ ମିଶ୍ର ଓ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ରିତ୍ୱିକରାଜ ମିଶ୍ର (ଉଭୟେ ୫ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ବିକ୍ରମ ମିଶ୍ର, ଇଶାନ୍ତ ଦାସ, ଅର୍ନବ ମହାନ୍ତି, ସାଇ ଅଂଶୁମାନ ସିଂ, ଅଞ୍ଜଳି ମିଶ୍ର, ଅଂଶୁମାନ ପତି ଓ ଆରିହନ ମିଶ୍ର ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏମାନଙ୍କ ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ୨ ଜଣ ଲେଖାଏ ଶ୍ରେଷ୍ଠ ପ୍ରତିଯୋଗୀ ଏବଂ ୬ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ୫ ବର୍ଷ ୫ ମାସର ସୁଶ୍ରୀ ସଙ୍ଗୀତା ତ୍ରିପାଠୀ ପ୍ରତିଯୋଗିତାର ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ। ଅଜୟ ବିନୟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏବିଆଇଟି)ର ଏମ୍‌ସିଏ ବିଭାଗୀୟ ମୁଖ୍ୟ ଅମରେଶ ସାହୁ ଏବଂ ବାରିପଦା ଏସ୍‌ବିଆଇର ଚିଫ୍‌ ମ୍ୟାନେଜର ପ୍ରଭାତ କୁମାର ଦାସ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ ଓ ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share