Categories: ମେଟ୍ରୋ

ଭୁବନେଶ୍ୱର ବନ୍ଦ କରିବେ ବ୍ୟବସାୟୀ ସଂଘ

ଭୁବନେଶ୍ୱର, ୨୨।୭ (ବନ୍ଦନା ସେଠୀ): ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ଧରୁନି କି ମାର୍କେଟ ଖୋଲିବାର ବାଟ ଫିଟୁନି। ଫଳରେ ଲଗାତର ୬ଦିନ ଧରି ମାର୍କେଟ ବିଲ୍ଡିଂରେ ବ୍ୟବସାୟ ବନ୍ଦ ହୋଇ ଯାଇଛି। ତେବେ ସ୍ଥାୟୀ ବ୍ୟବସାୟୀ ବା ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ର ଦାବିକୁ ବିଏମ୍‌ସି ଅଣଦେଖା କରୁଥିବାରୁ ଏଥର ଚରମ ନିଷ୍ପତ୍ତି ନିଆଯାଇଛି। ଏଣିକି କେବଳ ମାର୍କେଟ ବିଲ୍ଡିଂ ନୁହେଁ, ସହରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନର ଏହି ଆନ୍ଦୋଳନ ସହ ସାମିଲ ହେବ ଭୁବନେଶ୍ୱରର ଅନ୍ୟ ବ୍ୟବସାୟୀ ମହାସଂଘ। ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭୁବନେଶ୍ୱର ବନ୍ଦ କରାଯିବ। ଏହି ସମୟରେ ବ୍ୟବସାୟୀମାନେ ସହରର ବିଭିନ୍ନ ଛକ ସ୍ଥାନରେ, ଟ୍ରାଫିକ୍‌ ଛକ ଏବଂ ଅନ୍ୟ ମୁଖ୍ୟ ରାସ୍ତାରେ ବୁଲି ବୁଲି ଜନସାଧାରଣଙ୍କ ଠାରୁ ଭିକ୍ଷା ମାଗିବେ। ପରେ ସମସ୍ତ ଭିକ୍ଷା ଟଙ୍କାକୁ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଜେନା କହିଛନ୍ତି। ଶୁକ୍ରବାର ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନ୍ୟ ମାର୍କେଟ ଆସୋସିଏଶନ ସହିତ ଆଲୋଚନା କରାଯାଇଛି। ଏପରିକି ଯଦି ଭୁବନେଶ୍ୱରରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହେବା ପରେ ବି କୌଣସି ନିଷ୍କର୍ଷ ନ ବାହାରେ, ତେବେ ରାଜ୍ୟରେ ଥିବା ସମସ୍ତ ମାର୍କେଟ ଆସୋସିଏଶନ ସହିତ ଆଲୋଚନା କରାଯିବ। ସମସ୍ତଙ୍କ ସହଯୋଗରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସୂଚନା ଦିଆଯାଇଛି। ଅସ୍ଥାୟୀ ଦୋକାନୀଙ୍କୁ ବିଏମ୍‌ସି ପରୋକ୍ଷରେ ସମର୍ଥନ ଦେବା ସହ ସେମାନଙ୍କୁ ମାର୍କେଟରୁ ହଟାଇବା ନେଇ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଉଠାଦୋକାନୀଙ୍କ ଉତ୍ପାତ ଓ ମନମୁଖି କାର୍ଯ୍ୟ ବଢ଼ି ଚାଲିଛି। ଅପରପକ୍ଷେ ମାର୍କେଟ ବନ୍ଦ ରହିଥିବାରୁ ବ୍ୟବସାୟୀମାନେ କ୍ଷତି ସହିବା ସହିତ ସାଧାରଣ ଲୋକେ ହଇରାଣ ହେଉଛନ୍ତି।

Share