Categories: ଜାତୀୟ

ହାଟରୁ ସ୍ତ୍ରୀଙ୍କ ପାଇଁ ଟିକିଲି କିଣିଲେ ଭୂପେଶ

ରାୟପୁର,୨୫।୫: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଙ୍ଗଳବାର ବସ୍ତର ଜିଲା ଚିତ୍ରକୋଟ ଅନ୍ତର୍ଗତ କିଲେପାଲ ଅଞ୍ଚଳ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ସେଠାରେ ଥିବା ଏକ ହାଟରେ ବୁଲିବା ସମୟରେ ଜଣେ ଦୋକାନୀ ଛତିଶଗଡ଼ୀ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦୋକାନରୁ କିଛି କିଣିବା ପାଇଁ କହିଥିଲେ। ଏହାପରେ ଭୂପେଶ ଉକ୍ତ ଦୋକାନକୁ ଯାଇଥିଲେ। ସେଠାରୁ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଟିକିଲି, ସିନ୍ଦୂର ଏବଂ ମେହେନ୍ଦୀ କିଣିଥିଲେ। କିଛି ସମୟ ସେଠାରେ ରହି ଦୋକାନୀଙ୍କ ସହ କଥା ମଧ୍ୟ ହୋଇଥିଲେ। ଜିନିଷ କିଣିସାରି ଭୂପେଶ ପର୍ସରୁ ୫୦୦ ଟଙ୍କିଆ ନୋଟ୍‌ଟିଏ କାଢ଼ି ଦୋକାନୀଙ୍କୁ ଦେଇଥିଲେ। ଏହାର ଭିଡିଓ ମୁଖ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
୨୦୨୩ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭେଟ୍‌-ମୁଲାକାତ୍‌ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ ରାଜ୍ୟର ୯୦ ଜିଲା ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ଯୋଜନା ରହିଛି।

Share